Odisha Link
Bridging the Missing Links in Odisha

ଆଉ ୯ ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ବର: ବିଦାହେଲେ ଆଉ ୯ ଦୁର୍ନୀତି ଓ ଅପାରଗ ଅଧିକାରୀ। ଏନେଇ ରାଜ୍ୟ ସରକାରଙ୍କର କଠୋର ଆଭିମୁଖ୍ୟ ଜାରି ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଉପରେ ଜୋର ଦେଇଆସିଛନ୍ତି। ସାଧାରଣ ଜୀବନରେ ସାଧୁତା ଓ ନୈତିକତା ବଜାୟ ରଖିବା ସହ ଜନସାଧାରଣଙ୍କୁ ସ୍ୱଚ୍ଛ ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି।

ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଖଣି ବିଭାଗର ଜଣେ ଉପନିର୍ଦ୍ଦେଶକ ଓ ଶ୍ରମ ବିଭାଗର ଯୁଗ୍ମ କମିଶନରଙ୍କ ସମେତ ଜଙ୍ଗଲ, ଜନସ୍ୱାସ୍ଥ୍ୟ, ଶ୍ରମ ବିଭାଗର ୯ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ବିରୁଦ୍ଧରେ ଦୁର୍ନୀତି ମାମଲା ଥିବାବେଳେ, ୨ ଜଣଙ୍କୁ ଅପାରଗତା ଯୋଗୁଁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଖଣି ବିଭାଗର ୨ ଜଣ ଅଧିକାରୀ ତଥା ବଲାଙ୍ଗୀର ମୂରିବାହଲ ଫରେଷ୍ଟ ରେଞ୍ଜ ଅଫିସର ଏବଂ ସୁନ୍ଦରଗଡ ଜିଲ୍ଲା ସାଧାରଣ ଜନସ୍ୱାସ୍ଥ୍ୟ ବିଭାଗର ଆସିଷ୍ଟାଣ୍ଟ ଇଂଜିନିୟରଙ୍କୁ ଆଜି ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଅନ୍ୟ ୫ ଜଣଙ୍କୁ କିଛି ଦିନ ତଳେ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା।

ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଅଧିକାରୀମାନେ ହେଲେ ଖଣି ବିଭାଗର ଉପନିର୍ଦ୍ଦେଶକ ଶ୍ରୀ ମଦନ ମୋହନ ବିଶ୍ବାଳ। ତାଙ୍କ ବିରୁଦ୍ଧରେ ୯ଟି ଭିଜିଲାନସ କେସ୍‌ ରହିଛି। ଖଣି ଅଧିକାରୀ ଗ୍ରୁପ-କ ପାହ୍ୟାର ଅଧିକାରୀ ରମେଶ ଚନ୍ଦ୍ର ମହାଲିକ ବିରୁଦ୍ଧରେ ୪ଟି ଭିଜିଲାନ୍ସ କେସ୍ ଥିବାବେଳେ ତାଙ୍କର ସାଧୁତା ମଧ୍ୟ ସନ୍ଦେହଜନକ ଥିଲା।ବଲାଙ୍ଗୀର ମୂରିବାହାଲ ଫରେଷ୍ଟ ରେଞ୍ଜ ଅଫିସର ପ୍ରଶାନ୍ତ କୁମାର ନାୟକ ୧ କୋଟି ୪୦ ଲକ୍ଷ ଟଙ୍କାର ଆୟବହିର୍ଭୁତ ସଂପତ୍ତି ସହିତ ବଲାଙ୍ଗୀର ଜିଲ୍ଲାରେ ତାଙ୍କର ୧୦ଟି ପ୍ଲଟ ଓ ୨ଟି କୋଠା ମଧ୍ୟ ଠାବ କରାଯାଇଥିଲା।

ସେଥିପାଇଁ ତାଙ୍କ ନାମରେ ଭିଜିଲାନ୍ସ ମାମଲା ରହିଛି। ସେହିପରି ସୁନ୍ଦରଗଡ ଜିଲ୍ଲା ସାଧାରଣ ଜନସ୍ୱାସ୍ଥ୍ୟ ବିଭାଗର ଆସିଷ୍ଟାଣ୍ଟ ଇଂଜିନିୟର ନାରାୟଣ ପ୍ରଧାନଙ୍କ ବିରୁଦ୍ଧରେ ଭିଜିଲାନ୍ସ ମାମଲା ରହିଛି। ତାଙ୍କର ଆୟ ବହିର୍ଭୂତ ୨ କୋଟି ୨୦ ଲକ୍ଷ ଟଙ୍କାର ସଂପତ୍ତି ସହିତ ଦେଓଗଡ ଜିଲ୍ଲାରେ ୪ଟି କୋଠା, ସମ୍ବଲପୁର, ଦେଓଗଡ, ଅନୁଗୁଳ ଓ ଖୋର୍ଦ୍ଧା ଜିଲ୍ଲାରେ ୩୧ଟି ଜମି ମଧ୍ୟ ରହିଛି।

ଜଙ୍ଗଲ ବିଭାଗର ସହକାରୀ ବନ ସଂରକ୍ଷକ ଲକ୍ଷ୍ଣଣ କୁମାର ପ୍ରଧାନଙ୍କ ବିରୁଦ୍ଧରେ ୨ଟି ଭିଜିଲାନ୍ସ କେସ ରହିଛି। ଜଙ୍ଗଲ ବିଭାଗର ରେଞ୍ଜ ଅଫିସର ଭରତ କୁମାର ଘଡେଇଙ୍କ ବିରୁଦ୍ଧରେ ୩ଟି ଭିଜିଲାନ୍ସ କେସ୍ ରହିଛି। ରାୟଗଡ଼ା ଜିଲ୍ଲା ଶ୍ରମ ଅଧିକାରୀ ପ୍ରଦୀପ କୁମାର ଭୋଇଙ୍କ ବିରୁଦ୍ଧରେ ଗୋଟିଏ ଭିଜିଲାନ୍ସ କେସ ରହିଛି। ଏମାନଙ୍କୁ ସମସ୍ତଙ୍କୁ ଦୁର୍ନୀତି ଅଭିଯୋଗରେ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଭୁବନେଶ୍ୱରର ଯୁଗ୍ମ ଶ୍ରମ କମିଶନର ଶରତ କୁମାର ଚୌଧୁରୀ ଏବଂ ଗଜପତି ଜିଲ୍ଲାର ଡ଼ିଭିଜିନାଲ ଶ୍ରମ କମିଶନର ନମିତା ଦାସଙ୍କୁ ଅପାରଗତା ଯୋଗୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଉପରୋକ୍ତ ୯ ଜଣ ଅଧିକାରୀଙ୍କ ସମେତ ଏପର୍ଯ୍ୟନ୍ତ୧୧୩ ଜଣଙ୍କୁ ଦୁର୍ନୀତି ଓ ଅପାରଗତା ଅଭିଯୋଗରେ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି।

Comments are closed.