Odisha Link
Bridging the Missing Links in Odisha

୩ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ବର: ରାଜ୍ୟର ଖାଲି ପଡ଼ିଥିବା ତିନୋଟି ନୂଆ ବିଶ୍ୱବିଦ୍ୟାଳୟର କୁଳପତି ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ। ମଧୁସୂଦନ ଆଇନ୍ ବିଶ୍ୱବିଦ୍ୟାଳୟ, କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଓ ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି ।

 ପ୍ରାର୍ଥୀମାନେ ଏଥିପାଇଁ ଫେବୃଆରୀ ୨୫ ତାରିଖ ସୁଦ୍ଧା ଆବେଦନ କରିପାରିବେ। ଏଥିପାଇଁ ଜଣେ ପ୍ରାର୍ଥୀଙ୍କର ବୟସ ୬୩ ବର୍ଷରୁ କମ୍ ହେବା ସହିତ ପ୍ରଫେସର ଭାବେ ୧୦ ବର୍ଷର ଅଭିଜ୍ଞତା ରହିବା ନିହାତି ଆବଶ୍ୟକ ବୋଲି କୁହାଯାଇଛି। ତିନୋଟି ବିଶ୍ୱବିଦ୍ୟାଳୟ ପାଇଁ ଆଶାୟୀ ପ୍ରାର୍ଥୀମାନେ ଆବେଦନ କରିବା ପରେ ସେମାନଙ୍କୁ ସର୍ଟଲିଷ୍ଟ କରି ଇଣ୍ଟରଭ୍ୟୁ ପାଇଁ ଡକାଯିବ। ଏହି ସମୟରେ ଏକ ତିନିଜଣିଆ କମିଟି ସେମାନଙ୍କ ଇଣ୍ଟରଭ୍ୟୁ ନେବେ।

ଏହାପରେ କମିଟି ଦ୍ୱାରା ପ୍ରସ୍ତାବିତ ହୋଇଥିବା ନାଁ ଭିତରୁ ରାଜ୍ୟର ରାଜ୍ୟପାଳ ଶେଷ ନାଁ ଚୟନ କରିବେ। ଏହାପରେ ତାଙ୍କୁ ୪ ବର୍ଷ ପାଇଁ ଗୋଟିଏ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦିଆଯିବ।