Odisha Link
Bridging the Missing Links in Odisha

ଚଳନ୍ତାଗାଡ଼ିରେ ଯୁବତୀଙ୍କ ସହ ରକ୍ତାକ୍ତ ସଂଘର୍ଷ, ୨ ଲୁଟେରା କାବୁ

ଭୁବନେଶ୍ବର: ଦନକୁ ଦିନ ରାଜଧାନୀରେ ଆତଙ୍କ ଖେଳାଇ ଚାଲିଛନ୍ତି ଲୁଟେରା। ସେମାନଙ୍କ ଟାର୍ଗେଟରେ ରହୁଛନ୍ତି ଯୁବତୀ ଓ ମହିଳା। ତେବେ ଗତ କାଲି ରାତିରେ ଖଣ୍ଡଗିରି ଡୁମୁଡୁମା ଅଞ୍ଚଳରେ ରୀନା ଡାକୁ ନାମକ ଜଣେ ଯୁବତୀଙ୍କଠାରୁ ଦୁଇ ଜଣ ଲୁଟେରା ମୋବାଇଲ ଫୋନ୍ ଲୁଟିବାବେଳେ ରୀନା ଲୁଟେରା ସହ ଲଢ଼ି ମୋବାଇଲ ଫୋନ୍ ଛଡ଼ାଇ ଆଣିବା ସହ ଲୁଟେରା ଦ୍ବୟଙ୍କୁ ମଧ୍ୟ କାବୁ କରିବାରେ ସମର୍ଥ ହୋଇଛନ୍ତି।

ଲୁଟେରା ସହ ସଂଘର୍ଷ ବେଳେ ରୀନା ଗୁରୁତର ଆହତ ହୋଇଥିବାବେଳେ ରାସ୍ତା ପାରି ହେଉଥିବା ଜଣେ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଛନ୍ତି। ଚଳନ୍ତା ବାଇକ୍‌ରେ ଫିଲ୍ମ ଷ୍ଟାଇଲରେ ଲୁଟେରାଙ୍କ ସହ ରୀନାଙ୍କ ରକ୍ତାକ୍ତ ସଂଘର୍ଷ ଘଟଣା ଆଲୋଡ଼ନ ସୃଷ୍ଟି କରିଥିବାବେଳେ ନିଜ ସାହସିକତା ପାଇଁ ରୀନା ବେଶ୍ ପ୍ରଶଂସା ସାଉଁଟିଛନ୍ତି। ଆହତ ରୀନା ଓ ସୁରକ୍ଷାକର୍ମୀଙ୍କୁ ଚିକିତ୍ସା ଲାଗି ଏମ୍ସରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ ଯେ, ଶନିବାର ରାତି ପ୍ରାୟ ସାଢ଼େ ୮ଟା ବେଳେ ଯୁବତୀ ଜଣଙ୍କ ବୁଲେଟରେ ନିଜ ଘରକୁ ଫେରୁଥିଲେ। ଡୁମୁଡୁମା ନଗର ଅଟୋଷ୍ଟାଣ୍ଡ ପାଖରେ ଦୁଇ ଜଣ ଲୁଟେରା ତାଙ୍କ ମୋବାଇଲ ଫୋନ୍ ଝାମ୍ପିନେବାକୁ ଚେଷ୍ଟା କରିଥିଲେ। କିନ୍ତୁ ଫୋନକୁ ସହଜରେ ଛାଡ଼ି ନ ଥିଲେ ଯୁବତୀ।

ଚଳନ୍ତା ବୁଲେଟ୍‌ରେ ସେ ଲୁଟେରାଙ୍କୁ ପ୍ରତିରୋଧ କରି ଚାଲିଥିଲେ। କିଛି ବାଟ ଯିବା ପରେ ସମସ୍ତେ ଗାଡ଼ିରୁ ତଳେ ପଡ଼ି ଯାଇଥିଲେ। ଲୁଟେରା ଓ ଯୁବତୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଯୁବତୀ ଜଣଙ୍କ ଲୁଟେରାଙ୍କ ହାତରୁ ମୋବାଇଲ ଫୋନ୍ ଛଡ଼ାଇ ଆଣିବା ସହ ଜଣେ ଲୁଟେରାଙ୍କୁ ମଧ୍ୟ ମାଡ଼ି ବସିଥିଲେ। ତେବେ ଘଟଣାକୁ ଦେଖି ସ୍ଥାନୀୟ ଲୋକ ଅନ୍ୟ ଜଣେ ଲୁଟେରାକୁ କାବୁ କରି ନେଇଥିଲେ। ଲୁଟେରା ଦ୍ୱୟଙ୍କୁ ପ୍ରବଳ ଛେଚି ଥିଲେ ସ୍ଥାନୀୟ ଲୋକେ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପୋଲିସ ଲୁଟେରା ଦ୍ୱୟଙ୍କୁ ହେପାଜତକୁ ନେଇଥିବାବେଳେ ସେମାନଙ୍କୁ ମଧ୍ୟ ଚିକିତ୍ସା ପାଇଁ ହସ୍‌ପିଟାଲ୍‌ରେ ଭର୍ତ୍ତି କରିଛି। ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ତଥ୍ୟକୁ ଆଧାର କରି ପୋଲିସ ଅଧିକ ଖୋଳତାଡ଼ ଜାରି ରଖିଛି। ସେପଟେ ଯୁବତୀଙ୍କ ସାହସିକତାକୁ ପ୍ରଶଂସା କରିଥିଲେ, ଯୁବତୀ ଜଣକ ଏକ ମଲରେ ଚାକିରି କରୁଥିବା ଜଣାପଡ଼ିଛି।

Comments are closed.