Odisha Link
Bridging the Missing Links in Odisha

ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରିବାରକୁ ମିଳିଲା ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି

ଭୁବନେଶ୍ୱର: ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରିବାରକୁ ଖୋର୍ଦ୍ଧା ଜିଲ୍ଲାପାଳ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି। ଆଜି ୧୫ଲକ୍ଷ ଟଙ୍କା ଚେକ୍ ସାମ୍ବାଦିକ ପ୍ରବୀରଙ୍କ ପତ୍ନୀ ସୁସ୍ମିତା ସ୍ବାଇଁଙ୍କୁ ପଦାନ କରାଯାଇଛି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରବୀରଙ୍କ ଶୋକସନ୍ତପ୍ତ ପରିବାର ପାଇଁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିଥିଲେ।

ସୂଚନାଯୋଗ୍ୟ ଯେ, ଗତ ନଭେମ୍ବର ୫ ତାରିଖରେ ବରିଷ୍ଠ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କର ଦେହାନ୍ତ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୫ ବର୍ଷ ବୟସ ହୋଇଥିଲା। ଘରେ ତାଙ୍କର ବିଧବା ପତ୍ନୀ ଓ ୨ବର୍ଷର ଏକ ଝିଅ ଅଛି। ଅତୀତରେ ତାଙ୍କ ବାପା ମଧ୍ୟ କରୋନାରେ ପ୍ରାଣ ହରାଇଥିଲେ। ସୂଚନାନୁଯାୟୀ, ଅକ୍ଟୋବର ୩୧ ତାରିଖରେ ପ୍ରବୀର ଅସୁସ୍ଥ ଅନୁଭବ କରିବାରୁ ନିଜର କରୋନା ପରୀକ୍ଷା କରାଇଥିଲେ।

ରିପୋର୍ଟ ପଜିଟିଭ ଆସିବାରୁ ସେ ଗୃହ ସଙ୍ଗରୋଧରେ ରହିଥିଲେ। କିନ୍ତୁ ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ହେବାରୁ ତାଙ୍କୁ ଏକ ଘରୋଇ କୋଭିଡ୍‌ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ନଭେମ୍ବର ୪ ତାରିଖରେ ନିଶ୍ବାସ ନେବାରେ ତାଙ୍କର ସମସ୍ୟା ହୋଇଥିଲା। ଏଣୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଆଉ ନଭେମ୍ବର ୫ ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ତେବେ ଘରୋଇ ଚ୍ୟାନେଲ ନ୍ୟୁଜ-୧୮ ଓଡିଆରେ ଦୀର୍ଘଦିନ ଧରି କାମ କରୁଥିଲେ ପ୍ରବୀର। ନିଜର କର୍ତବ୍ୟ ସମ୍ପାଦନ, ବ୍ୟବହାର ଓ ମେଳାପୀ ସ୍ୱଭାବ ପାଇଁ ପ୍ରବୀର ସମସ୍ତଙ୍କ ନିକଟରେ ପ୍ରିୟଭାଜନ ହୋଇପାରିଥିଲେ। ପ୍ରବୀରଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ବିଭିନ୍ନ ଆଡୁ ସହାୟତାର ହାତ ବଢିଥିବା ବେଳେ ସେଂଟ ଜାଭିୟର ଇଂଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ସହାୟତାର ହାତ ବଢାଇଥିଲେ।

ପ୍ରବୀରଙ୍କ ପରିବାରକୁ ସମବେଦନ ଜଣାଇବା ସହ ପ୍ରବୀରଙ୍କ ଝିଅଙ୍କୁ ପାଠପଢ଼ାଇବାର ପ୍ରତିଶ୍ରୁତି ଦେଇଥିଲେ। ଝିଅକୁ ଯୁକ୍ତ ଦୁଇ ଯାଏଁ ମାଗଣା ପାଠପଢ଼ାଇବାର ପ୍ରତିଶ୍ରୁତି ଦେଇଥିଲେ। ତେବେ ପରପାରିରେ ଥିବା ପ୍ରତିଭାବାନ ସାମ୍ବାଦିକ ପ୍ରବୀରଙ୍କ ପରିବାରକୁ ସହାୟତା କରିଥିବାରୁ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Comments are closed.