ଦୃଢ଼ ପ୍ରତିବାଦ କରିବ ମହିଳା ମୋର୍ଚ୍ଚା: ସ୍ମୃତି

ଭୁବନେଶ୍ୱର: ରାଜ୍ୟ ମହିଳା ମୋର୍ଚ୍ଚାର ପ୍ରଥମ ପଦାଧିକାରୀ ବୈଠକ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସଭାପତି ସମୀର ମହାନ୍ତି ଯୋଗ ଦେଇ ତ୍ରିସ୍ତରୀୟ ଭାବେ ସଙ୍ଗଠନକୁ ଆଗକୁ ନେବା ପାଇଁ ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଜଣାଇଛନ୍ତି।
ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଛି। ବିଶେଷ କରି ମହିଳାଙ୍କ ପ୍ରତି ଅସଦାଚରଣ ଓ ଦୁଷ୍କର୍ମ ଭଳି ଅପରାଧ ବୃଦ୍ଧି ପାଇଛି। ଆଗାମୀ ଦିନରେ ମହିଳାଙ୍କ ସୁରକ୍ଷା, ସମ୍ମାନ ଓ ଅଧିକାର ପାଇଁ ମହିଳାମୋର୍ଚ୍ଚା ତୃଣମୂଳସ୍ତରରୁ ଲଢେଇ ଆରମ୍ଭ କରିବା ପାଇଁ ସମୀର ମହାନ୍ତି ପରାମର୍ଶ ଦେଇଛନ୍ତି। ମୋଦି ସରକାର ଦେଶର ଶିଶୁ ଓ ମହିଳାମାନଙ୍କ ପ୍ରତି ସମର୍ପିତ।
ମହିଳାଙ୍କ ସ୍ୱାସ୍ଥ୍ୟ ଓ ପୋଷଣଠାରୁ ଆରମ୍ଭ କରି ସାମାଜିକ ସୁରକ୍ଷା ପର୍ଯ୍ୟନ୍ତ ମୋଦି ସରକାର ବ୍ୟାପକ ଯୋଜନା ଲାଗୁ କରିଛନ୍ତି। କିନ୍ତୁ ରାଜ୍ୟ ସରକାର ଏହି ଯୋଜନାକୁ ନିଜ ନାଁରେ ବ୍ରାଣ୍ଡିଂ କରି ଶ୍ରେୟ ନେବାର ଅପଚେଷ୍ଟା କରୁଛନ୍ତି। ଅନେକ ଯୋଜନା ତୃଣମୂଳସ୍ତରରେ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନାହିଁ। ଏନସିଆରବି ରିପୋର୍ଟ ଅନୁଯାୟୀ ମହିଳାଙ୍କ ଉପରେ ଆକ୍ରମଣ ଏବଂ ଅପରାଧିକ ବଳ ପ୍ରୟୋଗ କରିବାରେ ଓଡ଼ିଶା ଦେଶର ଏକ ନମ୍ବର ସ୍ଥାନରେ ରହିଛି।
ରାଜ୍ୟ ସରକାର ମା’ଙ୍କୁ ସମ୍ମାନର ନାରା ଦେଉଥିବାବେଳେ ରାଜ୍ୟରେ ନାରୀ ଜାତି ସଂପୂର୍ଣ୍ଣଭାବେ ଅସୁରକ୍ଷିତ ହୋଇପଡିଛି। ଆଗାମୀ ଦିନରେ ମହିଳା ମୋର୍ଚ୍ଚା ରାଜ୍ୟ ସରକାରଙ୍କ ମହିଳା ବିରୋଧୀ ନୀତି ବିରୁଦ୍ଧରେ ଦୃଢ ପ୍ରତିବାଦ କରିବ ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି।
ଏହି ପଦାଧିକାରୀ ବୈଠକରେ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ କାନନବାଳା ପଟ୍ଟନାୟକ, ନିରୋଜ ନଳିନୀ ମହାଲ୍ଲିକ, କସ୍ତୁରୀ ମିଶ୍ର, ନିୟତି ଗିରି ଓ ଅନୁଚୌଧୁରୀ, ସାଧାରଣ ସଂପାଦିକା ବବିତା ପାତ୍ର, ସଂପାଦିକା ରଶ୍ମିରେଖା ଦାସ, କୌଶଲ୍ୟା ନାୟକ, ଇତିଶ୍ରୀ ଜେନା ଏବଂ ସୁବାସିନୀ ବଳ ପ୍ରମୁଖ ଉପସ୍ଥିତ ଥିଲେ।