ବିବନକୁ କିଏ ଫେରାର କଲା ସାମ୍ନାକୁ ଆସୁ: ଅଞ୍ଜନା

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ୨୨ ବର୍ଷ ପରେ ପୁଲିସ ହାତରେ ଧରାପଡିଛି। ଏବେ ସିବିଆଇ ତାକୁ ରିମାଣ୍ଡରେ ଆଣିବା ସହ ଟିଆଇ ପରେଡ଼ କରିବାକୁ ଯୋଜନା କରିଛି। ଟିଆଇ ପରେଡ଼ ପାଇଁ ସିବିଆଇର ଆବେଦନ ପରେ ଅଞ୍ଜନା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି।
ଏନେଇ ଅଞ୍ଜନା କରିଛନ୍ତି ଯେ, ୨୨ ବର୍ଷ ପରେ ଟିଆଇ ପରେଡରେ ବିବନକୁ ଚିହ୍ନିବି। କାହା ପ୍ରରୋଚନାରେ ଗଣଦୁଷ୍କର୍ମ ହୋଇଥିଲା ପଦାକୁ ଆସୁ। ବିବନକୁ କିଏ ଫେରାର କଲା ସାମ୍ନାକୁ ଆସୁ। ୨୨ ବର୍ଷ ହେଲା କାହା ଛତ୍ରଛାୟାରେ ବିବନ ଥିଲା ତାହା ତଦନ୍ତ ହେଉ। ଘଟଣା ପଛରେ ଷଡଯନ୍ତ୍ରକାରୀଙ୍କୁ ସାମ୍ନାକୁ ଆଣୁ ସିବିଆଇ ବୋଲି ଅଞ୍ଜନା କହିଛନ୍ତି।
ସିବିଆଇ ଏହି ମାମଲାର ତଦନ୍ତ କରୁଥିବାବେଳେ ବିବନକୁ ଧରିପାରିନଥିଲା। ତେବେ ଭୁବନେଶ୍ୱର କମିଶନରେଟ ପୁଲିସ ବିବନକୁ ଧରିବା ପାଇଁ ଜାଲ ବିଛାଇଥିଲା। ଶେଷରେ ବିବନକୁ ବାନ୍ଧି ଓଡ଼ିଶା ଆଣିପାରିଛି ପୁଲିସ । ବିବନ ଜେଲରେ ଥିବାବେଳେ ସିବିଆଇ ମଧ୍ୟ ଚଳଚଂଚଳ ହୋଇଯାଇଛି।
ପ୍ରକାଶ ଯେ, ୧୯୯୯ ଜାନୁଆରୀ ୯ରେ ଅଞ୍ଜନା ମିଶ୍ରଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଭୁବନେଶ୍ୱର-ବାରଙ୍ଗ ରାସ୍ତାରେ କାର୍ ଭିତରେ ଗଣଦୁଷ୍କର୍ମ ଘଟିଥିଲା। ବେଲଗଛିଆ ମହଲା ଓ ଭାଲୁକା ଜଙ୍ଗଲରେ ଗଣଦୁଷ୍କର୍ମ କରିଥିଲେ ଅଭିଯୁକ୍ତ ବିବନ ବିଶ୍ୱାଳ, ପ୍ରଦୀପ ସାହୁ ଓ ଧିରେନ୍ଦ୍ର ମହାନ୍ତି। ଏହାକୁ ନେଇ ରାଜ୍ୟ ବ୍ୟାପୀ ଜନଆକ୍ରୋଶ ଦେଖିବାକୁ ମିଳିଥିଲା।
ଏହି ଘଟଣାରେ ସେତେବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ନିଜ ପଦରୁ ଇସ୍ତଫା ଦେଇଥିଲେ। ମେ ୫, ୧୯୯୯ରେ ସିବିଆଇ ମାମଲାର ଚାର୍ଜସିଟ୍ ଦାଖଲ କରିଥିଲା। ଏପ୍ରିଲ ୨୯, ୨୦୦୨ରେ ଖୋର୍ଦ୍ଧା ଜିଲ୍ଲା ଜଜ୍ ରାୟ ଶୁଣାଇ ଦୁଇ ଦୋଷୀ ପ୍ରଦୀପ ଏବଂ ଧିରେନ୍ଦ୍ରଙ୍କୁ ଆଜୀବନ ଜେଲ ଦଣ୍ଡ ଶୁଣାଇଥିଲେ।