Odisha Link
Bridging the Missing Links in Odisha

ସବୁ ଘରୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ହେବ ଟିକାକରଣ

ଭୁବନେଶ୍ବର: ମାର୍ଚ୍ଚ ପହିଲାରୁ ଆରମ୍ଭ ହୋଇଛି ବରିଷ୍ଠ ମାନଙ୍କୁ ଟିକାକରଣ। ଏହି ଟିକା କରଣ ଆହୁରି ଜୋରଦାର କରିବେ ରାଜ୍ୟ ସରକାର। ଏଥିପାଇଁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ।

ଏଥିରେ ଅଧିକ ଟିକା କେନ୍ଦ୍ର ଖୋଲିବା ପାଇଁ ଲେଖାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନିୟମ ଅନୁସାରେ ଘରୋଇ ହସ୍ପିଟାଲରେ ଆବଶ୍ୟକ ସୁବିଧା ଥିଲେ ଜଣାଇବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ଆବଶ୍ୟକ କୋଲ୍ଡ ଚେନ, ଟିକା କେନ୍ଦ୍ର କରିବା ପାଇଁ ପ୍ରକୋଷ୍ଠ, ଅପେକ୍ଷା ଗୃହ ଏବଂ ଟିକା ନେବା ପରେ ନିରୀକ୍ଷଣ କେନ୍ଦ୍ର ଥିଲେ ଜଣାଇବାକୁ କୁହାଯାଇଛି।

ଏଥିରୁ ଜଣାପଡ଼ୁଛି ସରକାର ଟିକାକରଣ ପ୍ରକ୍ରିୟାକୁ ତ୍ୱରାନିତ କରିବା ପାଇଁ ଅଧିକରୁ ଅଧିକ ଘରୋଇ ହସ୍ପିଟାଲକୁ ସାମିଲ କରିବାକୁ ଚାହୁଁଛନ୍ତି। ଏସବୁ ଭିତରେ ଗତକାଲିଠାରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ ଆଜି ମଧ୍ୟ ଜାରି ରହିଛି।

ତେବେ ଭୁବନେଶ୍ୱରରେ ଆଜିଠାରୁ ଘରୋଇ ହସ୍ପିଟାଲରେ ଟିକାଦାନ ଆରମ୍ଭ କରାଯାଇଛି। ରାଜଧାନୀରେ ବିଏମସି ଅଧିନରେ ଥିବା ୧୫ଟି ଘରୋଇ ହସ୍ପିଟାଲରେ କରୋନା ଟିକା ଦିଆଯାଉଛି। ସମ, କିମ୍ସ, କଳିଙ୍ଗ ହସ୍ପିଟାଲ ସମେତ ବ୍ଲୁ-ହ୍ୱିଲ, ଆଦିତ୍ୟ ଅଶ୍ୱିନୀ, ଆମ୍ରି, ଉତ୍କଳ ହସ୍ପିଟାଲରେ ଟିକା ଦିଆଯାଉଛି।

ସେହିପରି ନିଳାଚଳ, ହାଇଟେକ୍, କେୟାର, ଏଲ ଭି ପ୍ରସାଦ ଆଇ ହସ୍ପିଟାଲ, ସ୍ପର୍ଶ, ବିବେକାନନ୍ଦ, ଆପୋଲୋ ଏବଂ ସମ ଅଲ୍ଟିମେଟ ହସ୍ପିଟାଲରେ ମଧ୍ୟ କରୋନା ଟିକା ଦିଆଯାଉଛି। ତେବେ ଏସବୁ ଘରୋଇ ହସ୍ପିଟାଲରେ କେବଳ କୋ-ୱିନ ପୋର୍ଟାଲରେ ପଞ୍ଜିକରଣ କରିଥିବା ବ୍ୟକ୍ତିଙ୍କୁ ଟିକା ଦିଆଯାଉଥିବା ଜଣାପଡିଛି।

Comments are closed.