Odisha Link
Bridging the Missing Links in Odisha

ଘର ମାଲିକକୁ ନିଶା ଦେଇ ଲୁଟିନେଲେ ଭାଡ଼ାଟିଆ

ମାଲକାନଗିରି: ମିଠାରେ ନିଶାଦେଇ ଘରମାଲିକଙ୍କ ଘରୁ ଲୁଟିଲେ ଭଡ଼ାଟିଆ। ଏମିତି ଏକ ଘଟଣା ଘଟିଛି ମାଲକାନଗିରି ସଦର ମହକୁମାରେ। ସହରର ଡିଏନକେ ସ୍ଥିତ ସୁନା ବ୍ୟବସାୟୀ ସୁବାଷ ପଟେଲଙ୍କ ଘରେ ଭଡ଼ାରେ ରହୁଥିଲେ ଆନ୍ଧ୍ରପ୍ରଦେଶ ଙ୍ଗୁଟୁର ଜିଲ୍ଲାର ଜଗଦିଶ ଓ ତାଙ୍କ ସ୍ତ୍ରୀ ଅର୍ଚ୍ଚନା।

ଗତକାଲି ଲୁଟ କରିବା ଉଦ୍ଦେଶ୍ୟରେ ଘର ମାଲିକଙ୍କ ସହିତ ସାହି ବାସିନ୍ଦାଙ୍କୁ ଲଡ଼ୁରେ ନିଶା ମିଶାଇ ଖୁଆଇ ଥିଲେ ଏହି ଦମ୍ପତି। ଗ୍ରିଲ କାଟି ୭ଶହ ଗ୍ରାମ ସୁନା ଓ ୨ଲକ୍ଷ ନଗଦ ଟଙ୍କା ଧର ଫେରାର ମାରିଥିଲେ।

ମିଳିଥିବା ସୂଚନା ଅନୁସାରେ ଲୁଟ୍ ପାଇଁ ଲୁଟେରା ପ୍ରାୟ ୩ ମାସ ଆଗରୁ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିଥିଲେ। ସେ ୩ ମାସ ତଳେ ବଣିଆଙ୍କ ଘରେ ଭଡ଼ା ରହିବା ପରେ ଗତିବିଧିକୁ ଦେଖି ଲୁଟର ଯୋଜନା କଲେ। ଘର ମାଲିକଙ୍କ ସହିତ ଘନିଷ୍ଠତା ବଢାଇଥିଲେ। ବିଶ୍ବାସରେ ବିଷ ମିଶାଇ ଗତକାଲି ରାତି ୮ଟା ସମୟରେ ନିଜର ଚାକିରି ହୋଇଯାଇଥିବା କହିଥିଲେ।

ଏହା ପରେ ବଣିଆଙ୍କ ପରିବାର ଲୋକଙ୍କୁ ମିଠା ଦେବା ସହ ନିକଟସ୍ଥ ୭ରୁ ୮ଟି ପରିବାରକୁ ମିଠା ଖୁଆଇଥିଲା। ସବୁଠାରୁ ବଡ କଥା ହେଉଛି ଭଡାଟିଆ ମନ୍ଦିରରୁ ମିଠା ପୂଜା କରି ଆଣିଥିବା କହିଥିଲେ। ମିଠା କେବଳ ଘର ମାଲିକଙ୍କୁ ନୁହେଁ ବରଂ ସାହି ପଡିଶାଙ୍କୁ ମଧ୍ୟ ବାଣ୍ଟିଥିଲେ। ମିଠା ଖାଇବାର ୨ ଘଣ୍ଟା ପରେ ସମସ୍ତେ ଅଚେତ ହୋଇ ପଡ଼ିଥିଲେ।

ପରେ ଅତି ସହଜରେ ଗ୍ୟାସ କଟର ସାହାଯ୍ୟରେ ଝରକା କାଟି ଘରର କବାଟ ତାଡ଼ି ଘରେ ପଶି ଅତି ସହଜରେ ସୁନା ଗହଣା ସେ ଲୁଟି ନେଇଥିଲା। ଏବେବି ମିଠା ଖାଇଥିବା ସମସ୍ତ ବ୍ୟକ୍ତି ନିଶାସକ୍ତ ହୋଇ ରହିଛନ୍ତି। ଏହି ଘଟଣା ଜାଣିବା ପରେ ସଦର ମହକୁମା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଏପରିକି ସିସିଟିଭି ଥିଲେ ମଧ୍ୟ ସିସିଟିଭିକୁ କାଟି ନେଇଯାଇଛି ଲୁଟେରା। ଏହି ଘଟଣାକୁ ତଦନ୍ତକରି ଚୋରକୁ ଧରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି।

Comments are closed.