Odisha Link
Bridging the Missing Links in Odisha

ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମ ଏକ କଳଙ୍କିତ ଅଧ୍ୟାୟ: ପ୍ରତାପ ଦେବ

ଭୁବନେଶ୍ୱର: ଆଜି ବିଧାନସଭା ଗୃହରେ ଉଭୟ ଶାସକ ଓ ବିରୋଧୀ ସଦସ୍ୟ ହୋହାଲ୍ଲା, ହଟ୍ଟଗୋଳ କରିଛନ୍ତି। ଗତକାଲି ଗୃହରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ଏହାକୁ ବିଜେଡି ସଦସ୍ୟ ପ୍ରତିବାଦ କରିଛନ୍ତି। ଏନେଇ ବିଜେଡି ସଦସ୍ୟ ତାଙ୍କୁ କ୍ଷମା ମାଗିବାକୁ ନେଇ ଅଡ଼ି ବସିଛନ୍ତି। କ୍ଷମା ନମାଗିବା ପର୍ଯ୍ୟନ୍ତ ଗୃହ ଚଳାଇ ଦେବୁନି ବୋଲି ବିଜେଡି ସଦସ୍ୟ କହିଛନ୍ତି।

ଏହି ପରିପ୍ରେକ୍ଷୀରେ ବିଧାୟକ ପ୍ରତାପ ଦେବ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଏହି ଘଟଣାକୁ ବିଜେଡି ତୀବ୍ର ନିନ୍ଦା କରୁଛି। ପୂର୍ବରୁ ଏପରି କେବେ ନଜିର ନଥିଲା। ବିଧାୟକ ଶ୍ରୀ ପାଣିଗ୍ରାହୀ ତୁରନ୍ତ କ୍ଷମା ପ୍ରାର୍ଥନା କରନ୍ତୁ। ସାରା ଭାରତବର୍ଷରେ ଏହା ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି। ଏହା ଦଳୀୟ ପ୍ରଯୋଜନାରେ କରାଯାଇଛି ନା ସୁବାସଙ୍କ ବ୍ୟକ୍ତିଗତ କାର୍ଯ୍ୟ ବୋଲି ପତାପ ଦେବ ପ୍ରଶ୍ନ କରିଛନ୍ତି। ଏଥିସହ ସେ କ୍ଷମା ନମାଗିଲେ ବିଜେଡି ତା’ ଷ୍ଟାଣ୍ଡରେ ଅଟଳ ରହିବ।ପ୍ରତିବାଦର ଭିନ୍ନ ଉପାୟ ଅଛି। ଆତ୍ମହତ୍ୟା ଗୁରୁତର ଅପରାଧ ବୋଲି ପ୍ରତାପ ଦେବ କହିଛନ୍ତି।

ଅନ୍ୟପକ୍ଷରେ କ୍ଷମା ମାଗିବାର ପ୍ରଶ୍ନ ଉଠୁନି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି। ସେ କହିଛନ୍ତି ଯେ, କ୍ଷମା ମାଗିବାର ପ୍ରଶ୍ନ ଉଠୁନି। ବାଚସ୍ପତିଙ୍କ ପାଖରେ କ୍ଷମତା ଅଛି। ଏନେଇ ସେ ନିଷ୍ପତ୍ତି ନିଅନ୍ତୁ। ଯେତେବେଳେ ସରକାର କିଛି ଶୁଣିଲେ ନାହିଁ ଆଉ ସେ କ’ଣ କରିଥାନ୍ତେ। ଇଏ ଚାଷୀ ବିରୋଧୀ ସରକାର। ଚାଷୀଙ୍କ ଦୁଃଖ ଦେଖନ୍ତି ନାହିଁ ବୋଲି ମୋହନ ମାଝୀ କହିଛନ୍ତି।

Comments are closed.