Odisha Link
Bridging the Missing Links in Odisha

ଆଖି ବୁଜିଲେ ମିଲ୍‌ଖା ସିଂହ

ନୂଆଦିଲ୍ଲୀ: ଆଉ ନାହାନ୍ତି କିମ୍ବଦନ୍ତୀ ଧାବକ ମିଲଖା ସିଂ। ୯୧ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାର ରାତିରେ ତାଙ୍କର ମୃତ୍ୟୁ ହୋଇଛି। ଚଣ୍ଡିଗଡ଼ର ପିଜିଆଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି। ପ୍ରାୟ ମାସେ ହେବ କରୋନାରେ ଆକ୍ରାନ୍ତ ହୋଇଥିଲେ ମିଲଖା ସିଂ । ୫ ଦିନ ତଳେ ପତ୍ନୀ ନିର୍ମଳାଙ୍କୁ ହରାଇଥିଲେ । ମିଲଖାଙ୍କ ବିୟୋଗ କ୍ରୀଡା ଜଗତକୁ ସ୍ତବ୍ଧ କରିଦେଇଥିବା ବେଳେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି ।ମିଲଖାଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

ପିଜିଆଇଏମଇଆର ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ, ମିଲଖା କୋଭିଡରେ ସଂକ୍ରମିତ ହେବା ପରେ ତାଙ୍କ ଶରୀରରେ ଅନେକ ଜଟିଳତା ଦେଖା ଦେଇଥିଲା।ଏହାପରେ ଶୁକ୍ରବାର ସନ୍ଧ୍ୟାରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ଅକ୍ସିଜେନ ସ୍ତର ବହୁତ କମିଯିବା ବେଳେ ଶରୀରରେ ଜ୍ୱର ମଧ୍ୟ ଥିଲା।

ଫ୍ଲାଇଂ ଶିଖଙ୍କ ଦେହାନ୍ତରେ ପିଏମ୍‌ ମୋଦୀ ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ମିଲଖା ସିଂହଙ୍କ ଦେହାନ୍ତ କ୍ରୀଡ଼ା ଜଗତରେ ଅପୂରଣୀୟ କ୍ଷତି। ନିଜର ପ୍ରତିଭା ପାଇଁ ଅଗଣିତ ଭାରତୀୟଙ୍କ ହୃଦୟରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରି ପାରିଥିଲେ ମିଲଖା। ତାଙ୍କର ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ପାଇଁ ଅନେକ ତାଙ୍କୁ ଭଲ ପାଉଥିଲେ।

ସୂଚନାଥାଉକି, ମିଲ୍‌ଖା ୧୯୫୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ୧୯୬୦ ରୋମ ଅଲିମ୍ପିକ୍ସରେ ସେ ୪୦୦ ମିଟର ଦୌଡ ଇଭେଣ୍ଟରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ। ସେ ୧୯୫୬ ଓ ୧୯୬୪ ଅଲିମ୍ପିକ୍ସରେ ମଧ୍ୟ ଅଂଶ ଗ୍ରହଣ କରିଥିଲେ।

Leave A Reply

Your email address will not be published.