Odisha Link
Bridging the Missing Links in Odisha

ଖବୁଶୀଘ୍ର ରାଜ୍ୟ ମନ୍ତ୍ରିମଣ୍ଡଳର ନବକଳେବର!

ଭୁବନେଶ୍ବର: ନିକଟରେ ଶେଷ ହୋଇଛି କେନ୍ଦ୍ର କ୍ୟାବିନେଟର ନବକଳେବର। ଏବେ ରଥଯାତ୍ରା ପରେ ରାଜ୍ୟ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ ହେବ ବୋଲି ପାଓ୍ବାର କରିଡରରେ ଆରମ୍ଭ ହେଲାଣି ଚର୍ଚ୍ଚା। ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ତାଙ୍କର ନୂଆ ଟିମ୍‌ ଗଢ଼ିବାକୁ ଯାଉଛନ୍ତି ବୋଲି ବିଶେଷ ସୂତ୍ରରୁ ପ୍ରକାଶ ପାଇଛି। ସଦାବେଳେ ସରପ୍ରାଇଜ ଦେଉଥିବା ନବୀନ ଏଥର ମଧ୍ୟ ବିରୋଧୀଙ୍କୁ ଚକମା ଦେବେ ବୋଲି ଚର୍ଚ୍ଚା ହେଉଛି। କାରଣ ଆଗକୁ ପଞ୍ଚାୟତ ଓ ପୌର ଭୋଟ୍‌। ଏହାକୁ ନଜରରେ ରଖି ନବୀନ କରିବେ ମନ୍ତ୍ରିମଣ୍ଡଳର ନବକଳେବର।

ରାଜ୍ୟ କ୍ୟାବିନେଟର ନବକଳେବରରେ କିଛି ନେତା ବାଦ ପଡ଼ିବେ ଆଉ କିଛି ନେତା ଫେରିବେ। ଏପରିକି ଯୁବ ଚେହେରାଙ୍କୁ ମଧ୍ୟ ସାମିଲ କରି ପାରନ୍ତି ନବୀନ। ଏବେଠୁ ମନ୍ତ୍ରୀ ହେବାକୁ ବିଜେଡିରେ ବହୁ ଆଶାୟୀ ମାନସମନ୍ଥନ କରିବା ଆରମ୍ଭ କରି ସାରିଲେଣି। ବାସ୍‌ ନବୀନଙ୍କ ଗ୍ରୀନ୍‌ ସିଗନାଲକୁ ସମସ୍ତେ ଅନେଇ ବସିଛନ୍ତି।

ଅନ୍ୟପକ୍ଷରେ ମନ୍ତ୍ରୀ ପଦ ହରାଇବା ଆଶଙ୍କା ବି ଘାରିଛି କେତେକ ମନ୍ତ୍ରୀଙ୍କୁ। ହେଲେ ନବୀନଙ୍କ ମୁଣ୍ଡରେ କି ଯୋଜନା ଚାଲିଛି, କେହି ଉଠରାଇପାରୁନାହାନ୍ତି। ହେଭିୱେଟ ନେତାଙ୍କୁ ମନ୍ତ୍ରିମଣ୍ଡଳରେ ନେବେ ନା ଆଦୌ ଚର୍ଚ୍ଚାରେ ନଥିବା ବିଧାୟକଙ୍କୁ ମନ୍ତ୍ରୀ କରି ନବୀନ ସରପ୍ରାଇଜ ଦେବେ, ଏବେଠାରୁ କହିବା ମୁସ୍କିଲ।

୨୦୧୯ରେ ବଡ଼ ବିଜୟ ସହ ବିଜେଡି ପୁନଃ କ୍ଷମତାକୁ ଫେରିବା ପରେ ୧୧ଜଣ କ୍ୟାବିନେଟ ମନ୍ତ୍ରୀ ଓ ୯ ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ନେଇ ପଞ୍ଚମ ପାଳି ସରକାର ଆରମ୍ଭ କରିଥିଲେ ନବୀନ। ପ୍ରଥମ ଥର ପାଇଁ ମନ୍ତ୍ରୀ ହେବାର ସୁଯୋଗ ପାଇଲେ ୧୦ଜଣ। ଇତିମଧ୍ୟରେ ନବୀନଙ୍କ ପଞ୍ଚମ ପାଳି ସରକାରକୁ ୨ ବର୍ଷ ପୂରିଗଲାଣି। ଏଯାଏଁ କୌଣସି ମନ୍ତ୍ରୀଙ୍କୁ ନେଇ ସରକାର ସେଭଳି ହରଡ଼ଘଣାରେ ପଡ଼ିନାହାନ୍ତି। ରିପୋର୍ଟ କାର୍ଡରେ ପ୍ରାୟ ସବୁ ମନ୍ତ୍ରୀ ପାସ୍‌ ହୋଇଛନ୍ତି। ଅଧିକାଂଶଙ୍କ ପ୍ରଦର୍ଶନ ବେଶ୍‌ ଉତ୍ସାହଜନକ। କୋଭିଡ୍‌ ସଙ୍କଟ ଭିତରେ ବି କାହାରି ବିଭାଗ ପଛୁଆ ପଡ଼ିଯାଇନି। ତଥାପି ଆଗକୁ ଆସୁଥିବା ପଞ୍ଚାୟତ ଓ ପୌର ଭୋଟ୍‌ ପୂର୍ବରୁ ମନ୍ତ୍ରିମଣ୍ଡଳରେ ଅଦଳବଦଳ କରିବା ଯୋଜନାରେ ଅଛନ୍ତି ନବୀନ।

Leave A Reply

Your email address will not be published.