ରାତି ପାହିଲେ ବାହୁଡ଼ା ଯାତ୍ରା

ପୁରୀ: ରାତି ପାହିଲେ ଶ୍ରୀଜିଉଙ୍କ ବାହୁଡା ଯାତ। ଜନ୍ମବେଦୀରୁ ରତ୍ନବେଦୀ ଅଭିମୁଖେ ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି। ମାଉସୀ ମା’ ମନ୍ଦିର ସମ୍ମୁଖରେ ଏଥିପାଇଁ ଠିଆ ହୋଇଛି ତିନି ରଥ। ବାହୁଡ଼ା ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ଥିର କରିଛି ନୀତି ନର୍ଘଣ୍ଟ। ଆଜି ରାତିରେ ଠାକୁରଙ୍କ ବଡ଼ ସିଂହାର ବେଶ ହେବ। ତା’ପରେ ପହୁଡ଼ ନୀତି କରାଯିବ। ପରେ ଦଇତାପତି ସେବାୟତଙ୍କ ଦ୍ୱାରା ବାହୁଟ କଣ୍ଟ ଓ ସେନାପଟା ଲାଗି କରାଯିବ।
କାଲି ଭୋର୍ ୪ଟାରେ ମଙ୍ଗଳ ଆଳତୀ ପରେ ଖେଚୁଡ଼ି ଭୋଗ ଲାଗି ହେବ। ମଧ୍ୟାହ୍ନ ୧୨ଟା ସୁଦ୍ଧା ବାହୁଡ଼ା ପହଣ୍ଡି ଆରମ୍ଭ ହେବ। ପହଣ୍ଡି ୧୨ଟାରୁ ଆରମ୍ଭ ହୋଇ ଦିନ ୨ଟା ୩୦ ପର୍ଯ୍ୟନ୍ତ ଚାଲିବ। ୨ଟା ୩୦ରୁ ୩ଟା ୩୦ ଭିତରେ ୩ ରଥରେ ଛେରା ପହଁରା ନୀତି ସମ୍ପନ୍ନ ହେବ। ୩ଟାରୁ ୪ଟା ପର୍ଯ୍ୟନ୍ତ ଚାରମାଳ ଫିଟା ଓ ଘୋଡ଼ା ଯୋଚା କାର୍ଯ୍ୟ ଚାଲିବ। ଅପରାହ୍ନ ୪ଟାରୁ ରଥଟଣା ଆରମ୍ଭ ହେବା ନେଇ ସମୟ ନିର୍ଘଣ୍ଟ ସ୍ଥିର ହୋଇଛି।
ସେପଟେ ରଥଯାତ୍ରାରେ ଶ୍ରୀକ୍ଷେତ୍ରକୁ ବାହାର ଲୋକଙ୍କ ପ୍ରବେଶ ଓ ଶରଧାବାଲିରେ ରଥ ଥିବାବେଳେ ବାହାର ଭକ୍ତଙ୍କ ରଥ ଦର୍ଶନ ଘଟଣା ପରେ ବାହୁଡ଼ା ପାଇଁ ଅଧିକ କଡ଼ା ହୋଇଛି ପୁରୀ ପୁଲିସ୍। ଏମିତିକି ବିନା ଭକ୍ତରେ ବାହୁଡାଯାତ୍ରା ଓ ସୁନାବେଶକୁ ସମ୍ପନ୍ନ କରିବା ପାଇଁ ଚ୍ୟାଲେଞ୍ଜ ମୋଡକୁ ଆସିଛି ପୁଲିସ୍। ସେଥିପାଇଁ ଆଜି ଅପରାହ୍ନରୁ ପୁରୀ ସହର ଚାରି ପାଖେ ନାକା ଲଗାଇ ଗାଡ଼ି ମୋଟର ଯାଞ୍ଚ କରିଛି ପୁଲିସ୍।