Odisha Link
Bridging the Missing Links in Odisha

ଭାବି ସ୍ୱାମୀଠୁ ଟଙ୍କା ନେଇ ଅନ୍ୟତ୍ର ବିବାହ କଲା ଯୁବତୀ

ଭାପୁର: ଭାବି ସ୍ୱାମୀଠୁ ଟଙ୍କା ନେଇ ଆଉ ଜଣଙ୍କୁ ବିବାହ କଲା ଯୁବତୀ। ଏଭଳି ଘଟଣା ନୟାଗଡ ଜିଲ୍ଲା ଫତେଗଡ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ବିବାହ ସ୍ଥିର ହେବା ପରେ ଭାବି ସ୍ୱାମୀଠୁ କନ୍ୟା ୩ଲକ୍ଷ ଚୂନ ଲଗାଇ ଅନ୍ୟତ୍ର ବିବାହ କରିଛି। ଏ ନେଇ ଫତେଗଡ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି।

ସୂଚନା ମୁତାବକ, ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଡାବରଧୁଆପାଟଣା ଗ୍ରାମର ପ୍ରଭାତ ପରିଡ଼ାଙ୍କ ପୁଅ ଚିନ୍ମୟ କୁମାର ପରିଡ଼ାଙ୍କ ସହିତ ନୟାଗଡ ଜିଲ୍ଲା ଫତେଗଡ ଥାନା ଅନ୍ତର୍ଗତ ମହୁଲପଡା ଗ୍ରାମର ବିନୋଦ ପ୍ରଧାନଙ୍କ ଝିଅ ସ୍ୱର୍ଣ୍ଣଲତା ପ୍ରଧାନଙ୍କ ସହିତ ନିର୍ବନ୍ଧ ହୋଇଥିଲା। ନିର୍ବନ୍ଧ ପରେ ଉଭୟ ପରିବାର ପରସ୍ପର ଘରକୁ ଯିବା ଆସିବା କରୁଥିଲେ। ଭାବୀ ବର ଓ କନ୍ୟା ମୋବାଇଲରେ କଥାବାର୍ତ୍ତା ହେଉଥିଲେ। ଏହାର ସୁଯୋଗ ନେଇ ସ୍ୱର୍ଣ୍ଣଲତା ଚିନ୍ମୟଙ୍କଠାରୁ ୩ଲକ୍ଷ ଟଙ୍କା ଫୋନ୍‌ ପେ ମାଧ୍ୟମରେ ନେଇଥିଲେ।

ମାତ୍ର ଗତ ୧୨ ତାରିଖରେ ସ୍ୱର୍ଣ୍ଣଲତା ଅନ୍ୟତ୍ର ବିବାହ କରିଥିବା କୌଣସି ସୂତ୍ରରୁ ବର ଘର ଖବର ପାଇଥିଲେ। ପ୍ରଭାତଙ୍କ ପୁଅ ଚିନ୍ମୟ ଓ ସୌମ୍ୟ ରଞ୍ଜନ ମହାନ୍ତି ଏକ କାରରେ ମହୁଲପଡା ଗ୍ରାମକୁ ଯାଇ ଟଙ୍କା ଫେରସ୍ତ ଦେବାକୁ କହିଥିଲେ। ତେବେ କନ୍ୟା ଘର ଟଙ୍କା ଦେବା ବଦଳରେ ଚୋର ବୋଲି କହି ନିର୍ଦ୍ଧୁମ ମାଡ଼ ମାରିବା ସହ କାରଟିକୁ ଭଙ୍ଗାରୁଜା କରିଥିଲେ।

ଏ ନେଇ ପ୍ରଭାତ ପରିଡା ଫତେଗଡ ଥାନାରେ ପ୍ରମୋଦ ପ୍ରଧାନ, ସୁଜାତା ପ୍ରଧାନ, ସ୍ୱର୍ଣ୍ଣଲତା ପ୍ରଧାନ, ସିଲି ପଲେଇ, ସୌଦାମିନୀ ଜେନା, ଶ୍ରଦ୍ଧାଞ୍ଜଳି ବହେରାଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ସମସ୍ତେ ଫେରାର ଥିବାରୁ ପୁଲିସ କାହାରିକୁ ଗିରଫ କରି ପାରିନାହିଁ।

Leave A Reply

Your email address will not be published.