Odisha Link
Bridging the Missing Links in Odisha

ଏସିଏଫ ସୌମ୍ୟ ମୃତ୍ୟୁ ମାମାଲା: ଖୁବଶୀଘ୍ର ଡିଏଫଓଙ୍କୁ ହୋଇପାରେ ଜେରା

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁର ୮ ଦିନ ପରେ ବି ମୃତ୍ୟୁର କାରଣ ପାଉନି ପୁଲିସ୍। ଅନ୍ୟପଟେ ସୌମ୍ୟଙ୍କ ମୃତ୍ୟୁ ମାମଲାରେ ଥରକୁ ଥର ଆସୁଛି ନୂଆ ଟ୍ବିଷ୍ଟ। ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ଆସିବାରେ ଲାଗିଛି। ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଡିଏଫଓଙ୍କ ନାଁରେ ମାମଲା ରୁଜୁ ହୋଇଥିଲେ ବି ବର୍ତ୍ତମାନ ସୁଦ୍ଧା ଡିଏଫଓଙ୍କୁ ଜେରା କରାଯାଇନାହିଁ। ଆଜି ତାଙ୍କର କଲ ଡ଼ିଟେଲ୍ସ ଯାଂଚ କରୁଛି ପୁଲିସ। 

ସୌମ୍ୟରଂଜନଙ୍କ ମୃତ୍ୟୁ ପୂର୍ବରୁ ଡିଏଫଓ କାହା ସହିତ କଥା ହୋଇଥିଲେ ତାର ଯାଞ୍ଚ ଚାଲିଛି। ଆବଶ୍ୟକ ପଡିଲେ ଡିଏଫଓଙ୍କୁ ଜେରା ବି କରାଯାଇପାରେ। ଏଯାଏଁ ଡିଏଫଓଙ୍କର ଖୋଜଖବର ବି ନାହିଁ। ଅନ୍ୟପଟେ ଘଟଣାର ତଦନ୍ତରେ ସହାୟତା କରିବାକୁ ପାରଳାଖେମୁଣ୍ଡିରେ ପହଞ୍ଚିଛି କ୍ରାଇମବ୍ରାଞ୍ଚର ୪ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍।

କପ୍ତିପଦାକୁ ପୁଲିସ ଟିମ ଯାଇଥିବାରୁ ସେମାନେ ଫେରିଲେ ତଦନ୍ତ ଆଗକୁ ବଢିବ ବୋଲି ଜଣାପଡିଛି। ଗତକାଲି ଘଟଣାରେ ପତ୍ନୀ ବିଦ୍ୟାଭାରତୀଙ୍କ ଉପରକୁ ଅଙ୍ଗୁଳି ଉଠାଇଥିଲେ ସୌମ୍ୟରଂଜନଙ୍କ ପରିବାର। ଏସବୁ ଭିତରେ ବିଦ୍ୟାଭାରତୀ ମୁହଁ ଖୋଲି ଗଣମାଧ୍ୟମକୁ ସେ କହିଥିଲେ, ସୌମ୍ୟଙ୍କ ପରକୀୟା ପ୍ରୀତି କଥା। ଅନ୍ୟପକ୍ଷରେ ବିଦ୍ୟାଙ୍କ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ତାଙ୍କ ଶାଶୁ-ଶ୍ୱଶୁର। ସେମାନେ କହିଛନ୍ତି, ଏ ମାମଲାରୁ ଖସି ଯିବାକୁ ବୋହୂ ଚାଲ୍ ଖେଳୁଛି।

ସୌମ୍ୟଙ୍କ ମା’ କହିଛନ୍ତି, ଏସବୁ କଥା ମିଛ। ଯଦି ମୋ ପୁଅର ଅନ୍ୟ କୌଣସି ଝିଅ ସହିତ ସଂପର୍କ ଥିଲା, ତା’ହେଲେ ବୋହୂ ତା’ ସହିତ ରହୁଥିଲା କେମିତି? ମୋତେ ପୂର୍ବରୁ ଜଣାଇ ନଥିଲା କାହିଁକି? ପୁଅ ୭ ଦିନ ହେଲାଣି ମଲାଣି, ଆଜି ପର୍ଯ୍ୟନ୍ତ ମୁହଁ ଖୋଲୁ ନଥିଲା କାହିଁକି? ସୌମ୍ୟ କାହାକୁ ଭଲ ପାଉଥିଲେ ବାହାଘର ପାଇଁ ଝିଅ ଠିକ୍ କରିବାକୁ ତା’ ମାମୁ ମାନଙ୍କୁ କାହିଁକି କହିଥା’ନ୍ତା? ତା’ର ସାଙ୍ଗ ଅଛନ୍ତି। ସେମାନେ ଫୋନ୍‌ କରନ୍ତି। କିଏ ବାହା ହେଲେଣି, କିଏ ବାହା ହୋଇ ନାହାନ୍ତି। ତା’ ପାଖକୁ ରାଖୀ ପଠାନ୍ତି। ଭାଇଭଉଣୀ ହୋଇ ସେମାନେ ସବୁ ଏକାଠି ପାଠ ପଢ଼ୁଥିଲେ। ଯାହା ସହିତ କଥା ହେବା ଅର୍ଥ କ’ଣ ସେ ତାଙ୍କୁ ଭଲ ପାଉଥିଲା।

ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର କହିଛନ୍ତି ଯେ, ତାଙ୍କ ପୁଅ କାହାକୁ ଭଲ ପାଉ ନଥିଲେ। ସେ ସେମିତି ପିଲା ନଥିଲେ। ସେମାନେ ଖସି ଯିବାକୁ ଏମିତି ଚାଲ୍ କରୁଛନ୍ତି। ପୁଅର ମୃତ୍ୟୁ ପାଇଁ ବୋହୂ, ତାଙ୍କ ବାପାମା’, ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭ ସଂପୂର୍ଣ୍ଣ ଭାବେ ଦାୟୀ।

Leave A Reply

Your email address will not be published.