Odisha Link
Bridging the Missing Links in Odisha

ବିଧାନସଭାରେ ଅସୁସ୍ଥ ହେଲେ ତାରା

ଭୁବନେଶ୍ବର: ବିଧାନସଭାର ମୌସୁମୀ ଅଧିବେଶନ ଚାଲୁଥିବା ବେଳେ ଅସୁସ୍ଥ ହୋଇପଡିଛନ୍ତି ବିଧାୟକ ତାରା ବାହିନୀ ପତି। ବାଚସ୍ପତିଙ୍କ ପୋଡିୟମ ତଳେ ଥିବା ଚେୟାର ଉପରେ ଚଢି ପ୍ରତିବାଦ କରୁଥିବା ବେଳେ ତାରା ହଠାତ୍ ଅସୁସ୍ଥ ହୋଇ ପଡିଥିଲେ। ତେବେ ସଙ୍ଗେ ସଙ୍ଗେ ସହଯୋଗୀ ବିଧାୟକ ତାରାଙ୍କୁ ପାଣି ପିଇବାକୁ ଦେଇ ଚେୟାରରେ ବସାଇଥିଲେ।

ତେବେ ତାରା ଅସୁସ୍ଥ ହେବା କ୍ଷଣି ବାଚସ୍ପତିଙ୍କ ନିର୍ଦ୍ଦେଶ କ୍ରମେ ଯାଞ୍ଚ ପାଇଁ ବିଧାନସଭାର ଲବିକୁ ଡାକ୍ତର ଆସିଥିଲେ। ବିଧାନସଭା ଲବି ଭିତରେ ଡାକ୍ତର ତାରାଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରୁଛନ୍ତି।

ଗୃହ ଆରମ୍ଭରରୁ ତାରାଙ୍କୁ ପୋଡିୟମ ଉପରକୁ ନ ଚଢିବାକୁ ପରାମର୍ଶ ଦେଇଥିଲେ ବାଚସ୍ପତି ସୂଯ୍ୟନାରାୟଣ ପାତ୍ର। ଦେହ ଭଲ ନଥିବାରୁ ପୋଡିୟମ ପାଖକୁ ନ ଆସି ଚେୟାରରେ ବସି ପ୍ରତିବାଦ କରିବାକୁ ତାରାଙ୍କୁ କହିଥିଲେ ସୂର୍ଯ୍ୟ। ଗତ କିଛିଦିନ ହେବ କରୋନାରୁ ସୁସ୍ଥ ହୋଇ ଫେରିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି। ଏପରିକି କରୋନା ସମୟରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ହାଇଦ୍ରାବାଦରେ ରହି ଚିକିତ୍ସିତ ହେଉଥିଲେ ତାରା।

ସୁସ୍ଥ ହେବା ପରେ ଏବେ ମୌସୁମୀ ଅଧିବେଶନକୁ ଆସୁଛନ୍ତି ତାରା। ଅନ୍ୟପଟେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ମଧ୍ୟ କରୋନାରୁ ସୁସ୍ଥ ହୋଇଥିଲେ ମଧ୍ୟ ଏଯାଏଁ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିନାହାନ୍ତି। ତେଣୁ ଭୁବନେଶ୍ୱର ଏମ୍ସରେ ରହି ଚିକିତ୍ସିତ ହେଉଛନ୍ତି ପ୍ରଦୀପ୍ତ।

Leave A Reply

Your email address will not be published.