Odisha Link
Bridging the Missing Links in Odisha

ପ୍ରମୋଦ ଭଗତ: ଓଡ଼ିଶାର ନା ବିହାରର

ଭୁବନେଶ୍ବର: ଟୋକିଓରେ ତ୍ରିରଙ୍ଗା ଉଡ଼ାଇଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ। ପାର ଅଲିମ୍ପିକ୍ସରେ ଓଡିଆ ପୁଅ ପ୍ରମୋଦ ଦେଖାଇଛନ୍ତି ପରାକ୍ରମ। ପାରା ଅଲିମ୍ପିକ୍ସରେ ବ୍ୟାଟମିଂଟନରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି ଓଡିଆ ପୁଅ। ପ୍ରଥମ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ଭାବେ ଅଲିମ୍ପିକ୍ସ ବା ପାରାଲିମ୍ପିକ୍ସରେ ପ୍ରମୋଦ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି।

ଟୋକିଓରେ ସ୍ୱର୍ଣ୍ଣ ବିଜୟ ପରେ ପ୍ରମୋଦଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି। ପ୍ରଧାନମନ୍ତ୍ରୀ ମୋଦିଙ୍କଠୁ ଆରମ୍ଭ କରି କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଥିବା ବେଳେ ବିହାର ବିଧାୟକ ତେଜ ପ୍ରତାପ ଯାଦବଙ୍କ ଟ୍ୱିଟକୁ ନେଇ ଏବେ ଜୋର ଚର୍ଚ୍ଚା ଧରିଛି।

ତେଜ ପ୍ରତାପ ଯାଦବ୍ ଟ୍ୱିଟ୍ କରି ଲେଖିଛନ୍ତି, ବ୍ୟାଟମିଣ୍ଟନରେ ବିହାରର ସୁନା ପୁଅ ପ୍ରମୋଦ ଭଗତ୍ ଗୋଲ୍ଡ ମେଡାଲ ଜିତି ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି। କେବଳ ବିହାର ରାଜ୍ୟ ପାଇଁ ନୁହେଁ, ଦେଶ ପାଇଁ ମଧ୍ୟ ଗୌର ଆଣିଛନ୍ତି ପ୍ରମୋଦ ଭଗତ୍।

କେବଳ ତେଜ ପ୍ରତାପ ନୁହଁନ୍ତି କିଛି ଜାତୀୟ ଗଣମାଧ୍ୟମରେ ମଧ୍ୟ ପ୍ରମୋଦଙ୍କ ଜନ୍ମସ୍ଥାନ ବିହାରରେ ବୋଲି ଖବର ପରିବେଷଣ କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଲାଗି ରହିଛି। ପ୍ରମୋଦ ଟୋକିଓ ପାରା ଅଲିମ୍ପିକ୍ସରେ ସୁନା ଜିତିବା ପରେ ସମସ୍ତ ଓଡିଶାବାସୀଙ୍କୁ ଶ୍ରେୟ ଦେଉଥିବା ବେଳେ ତେଜ ପ୍ରତାପ ଯାଦବଙ୍କ ଟ୍ୱିଟ୍ ଏକ ନୂଆ ବିବାଦ ସୃଷ୍ଟି କରିଛି। ଏହି ଚର୍ଚ୍ଚା ଲାଗି ରହିବା ପରେ ଆମେ ସ୍ବର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କ ସହ ଯୋଗାଯୋଗ କରିଥିଲୁ। ସେ ଅତାବିରାରେ ଜନ୍ମ ହୋଇଥିବା ନେଇ କହିଛନ୍ତି।

ଅତାବିରାରୁ ଟୋକିଓ ଯାତ୍ରା:

ବରଗଡ଼ ଜିଲ୍ଲା ଅତାବିରାରେ ପ୍ରମୋଦଙ୍କ ଜନ୍ମ। ୫ ବର୍ଷ ବୟସ ପର୍ଯ୍ୟନ୍ତ ସେ ସୁସ୍ଥ ଥିଲେ ଅନ୍ୟ ପିଲାଙ୍କ ଭଳି ଖେଳୁଥିଲେ, ବୁଲୁଥିଲେ ।ଏହାପରେ ତାଙ୍କ ବାମ ଗୋଡ଼ ପୋଲିଓ ଆକ୍ରାନ୍ତ ହୋଇଥିଲା। ତାଙ୍କୁ ମିଶାଇ ଘରେ ଭାଇ ଭଉଣୀ ମିଶି ଛଅ ଜଣ । ତେଣୁ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିଲା । ଶେଷରେ ଯଦିବା ସେ ସୁସ୍ଥ ହେଲେ କିନ୍ତୁ ବାମ ଗୋଡ଼ରେ ସବୁଦିନ ସମସ୍ୟା ରହିଗଲା । ସାଙ୍ଗସାଥୀଙ୍କ ସହ ଖେଳିବା, ବୁଲିବାରେ ଲାଗିଲା ଅଙ୍କୁଶ । କାରଣ ସେମାନେ ଯେମିତି ଦୌଡ଼ିପାରୁଥିଲେ, ପ୍ରମୋଦ ପାରୁ ନଥିଲେ। ଏଥିପାଇଁ ତାଙ୍କ ମନ ଭାରି ଦୁଃଖ ହେଉଥିଲା। ପିଲାଟି ଦିନରୁ ଖେଳକୁଦ ପ୍ରତି ତାଙ୍କର ପ୍ରବଳ ଆଗ୍ରହ ଥିଲା। ତାହା ବି ଆଉ ସ୍ୱାଭାବିକ ହୋଇପାରିଲା ନାହିଁ। ତଥାପି ସେ ଖେଳଠୁ ଦୂରେଇ ରହି ନଥିଲେ । ୧୩ ବର୍ଷ ବୟସ ବେଳକୁ ସେ ବ୍ୟାଡମିଣ୍ଟନ ଖେଳ ଦେଖି ପ୍ରଭାବିତ ହେଲେ। ବ୍ୟାଡମିଣ୍ଟନ ପ୍ରତି ତାଙ୍କର ଦୁର୍ବଳତା ବଢ଼ି ବଢ଼ି ଚାଲିଲା । ଭଙ୍ଗା ର‍୍ୟାକେଟ୍‌ ଓ କର୍କ ଆଣି ଖେଳିବା ଆରମ୍ଭ କଲେ।

ଆରମ୍ଭରୁ ସେ ସାଧାରଣ ବର୍ଗର ପିଲାଙ୍କ ସହ ଖେଳୁଥିଲେ। ୧୫ ବର୍ଷ ବୟସରେ ପ୍ରମୋଦ ସାଧାରଣ ବର୍ଗର ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଆରମ୍ଭ କଲେ। ଲୋକେ ତାଙ୍କ ଖେଳ ଦେଖି ବାଃ ବାଃ କରୁଥିଲେ। ପରବର୍ତ୍ତୀ ସମୟରେ କୋଚ୍‌ ଶିବ ପ୍ରସାଦ ଦାସଙ୍କ ସଂସ୍ପର୍ଶରେ ଆସି ପାରା ବ୍ୟାଡମିଣ୍ଟନରେ ଖେଳିବା ଆରମ୍ଭ କଲେ। ୨୦୦୭ ମସିହାରୁ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ତାଙ୍କର ବିଜୟ ଯାତ୍ରା ଆରମ୍ଭ ହୋଇଥିଲା। ସେବେଠୁ ସେ ଆଉ ପଛକୁ ଫେରି ନାହାନ୍ତି।

Leave A Reply

Your email address will not be published.