Odisha Link
Bridging the Missing Links in Odisha

ତାଲିବାନୀଙ୍କ ଉପରେ ଅଜ୍ଞାତ ସାମରିକ ବିମାନ ଆକ୍ରମଣ

କାବୁଲ: ତାଲିବାନ୍ ପଞ୍ଜଶିରକୁ ସଂପୂର୍ଣ୍ଣ ଦଖଲ କରିବା ସହ ପଞ୍ଜଶିର ଗଭର୍ଣ୍ଣର ହାଉସରେ ତାଲିବାନ୍ ପତାକା ଉଡ଼ାଇଛି। ତଥାପି ଶେଷ ହୋଇନି ଯୁଦ୍ଧ। ପଞ୍ଜଶୀର ଘାଟିରେ କିଛି ଅଜ୍ଞାତ ସାମରିକ ବିମାନ ଆକ୍ରମଣ କରିଥିବା ଖବର ମିଳିଛି। ତାଲିବାନୀଙ୍କ ଠିକଣାକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଛି। ଗତକାଲି ତାଲିବାନର ଦାବିକୁ ଅଗ୍ରାହ୍ୟ କରିଛି ନର୍ଦ୍ଦନ ଆଲାଏନ୍ସ। ପଞ୍ଜଶିର ଯୋଦ୍ଧା ଏବେ ବି ପ୍ରଦେଶର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରହି ଲଢ଼େଇ ଜାରି ରଖିଛନ୍ତି ବୋଲି ଟୁଇଟ୍ କରି କହିଥିଲା।

ପଞ୍ଜଶୀରରେ ନର୍ଦ୍ଦନ ଆଲାଇନ୍ସ ତାଲିବାନକୁ ନାକେଦମ୍ କରିସାରିଲାଣି। ପଞ୍ଜଶିରର ପାହାଡ଼ିଆ ଅଞ୍ଚଳରେ ରହି ଗରିଲା ଯୁଦ୍ଧ ମାଧ୍ୟମରେ ତାଲିବାନକୁ ଚ୍ୟାଲେଞ୍ଜ କରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେମାନେ ହାର ମାନି ନାହାଁନ୍ତି। ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଏବଂ ତାଲିବାନ ବିରୋଧୀ ନେତା ଅହମ୍ମଦ ଶାହ ମାସୁଦଙ୍କ ପୁଅ କର ଅହମ୍ମଦ ମାସୁଦଙ୍କ ନେତୃତ୍ୱରେ ଚାଲିଛି ଲଢ଼େଇ।

ପଞ୍ଜଶିରରେ ତାଲିବାନ୍ କବଜା ଦାବି ପରେ ଅହମ୍ମଦ ମାସୁଦଙ୍କ ବୟାନ୍ ମଧ୍ୟ ଆସିଛି। ନର୍ଦ୍ଦନ ଆଲାଏନ୍ସ ଶେଷ ରକ୍ତ ବିନ୍ଦୁ ଥିବା ଯାଏ ଲଢ଼ିବ ବୋଲି ସେ କହିଥିଲେ। ଏହାସହ ପଞ୍ଜଶିର ଯୋଦ୍ଧାମାନେ ଏକ ପାକିସ୍ତାନୀ ଜେଟକୁ ଗୁଳି କରି ଖସାଇ ଦେଇଥିବା ସେ ଦାବି କରିଛନ୍ତି।

ପଞ୍ଜଶିରକୁ ତାଲିବାନ ସମ୍ପୁର୍ଣ୍ଣ ଦଖଲ କରିପାରି ନାହାନ୍ତି। ତେବେ ଗତକାଲି ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍, ପଞ୍ଜଶୀର ବର୍ତ୍ତମାନ ତାଲିବାନ ଅଧୀନରେ ବୋଲି କହିଥିଲେ। ଅନ୍ୟପଟେ କେତେ ଜଣ ପ୍ରତ୍ୟକ୍ଷଦର୍ଶୀ ମଧ୍ୟ ଏକଥାକୁ ସ୍ୱୀକାର କରିଛନ୍ତି। ହଜାର ହଜାର ତାଲିବାନୀ ରାତାରାତି ପଞ୍ଜଶିରର ଆଠଟି ଜିଲ୍ଲାକୁ କବଜା କରିନେଇଥିବା କହିଥିଲେ।

Leave A Reply

Your email address will not be published.