Odisha Link
Bridging the Missing Links in Odisha

ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ୧୨ ଟ୍ରେନ ବାତିଲ

ଅନୁଗୁଳ: ତାଲଚେର ରୋଡରୁ ଅନୁଗୁଳ ଅଭିମୁଖେ ଯାଉଥିବା ଏକ ଗହମ ବୋଝେଇ ମାଲବାହୀ ଟ୍ରେନ୍‌ ଗତ ରାତିରେ ଲାଇନଚ୍ୟୁତ୍‌ ହୋଇଯାଇଛି। ଲଗାଣ ବର୍ଷା ଯୋଗୁ ଅନୁଗୁଳ-ତାଳଚେର ରୋଡର ଭୋଗବେରଣୀ ନିକଟସ୍ଥ ଏକ ପୋଲ ଦବି ଯିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି। ହେଲେ ଏଥିରେ କେହି ମୃତାହତ ହୋଇ ନାହାନ୍ତି।

ମାଲବାହୀ ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ୍‌ ହେବାରୁ ଢେଙ୍କାନାଳ -ସମ୍ବଲପୁର ମଧ୍ୟରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏଥିଯୋଗୁ ୧୨ଟି ଟ୍ରେନକୁ ବାତିଲ କରାଯାଇଥିବା ବେଳେ ୮ଟି ଟ୍ରେନ୍‌ର ଗତିପଥ ବଦଳା ଯାଇଥିବା ନେଇ ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, ଗତ ରାତିରେ ତାଲଚେର ରୋଡରୁ ଅନୁଗୁଳ ଅଭିମୁଖେ ଏକ ୫୬ ବଗି ବିଶିଷ୍ଟ ଗହମ ବୋଝେଇ ଟ୍ରକ୍‌ ଯାଉଥିଲା। ରାତି ପ୍ରାୟ ୨ଟା ୫୦ରେ ଟ୍ରେନ୍‌ଟି ଭୋଗବେରଣୀ ନିକଟସ୍ଥ ପୋଲ ଅତିକ୍ରମ କରୁଥିବା ବେଳେ ଲଗାଣ ବର୍ଷା ଯୋଗୁ ତାହା ଦବି ଯାଇଥିଲା। ଫଳରେ ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ୍‌ ହୋଇଯାଇଛି। ଟ୍ରେନ୍‌ର ୬ଟି କୋଚ ସହ ଇଞ୍ଜିନ ଲାଇନ୍‌ଚ୍ୟୁତ୍‌ ହୋଇଯାଇଛି। ହେଲେ ଟ୍ରେନ୍‌ରେ ଥିବା ଲୋକୋ ପାଇଲଟ୍‌ ଓ ଗାର୍ଡ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।

ରାତି ପ୍ରାୟ ସାଢେ ୩ଟାରେ ରେଲୱେର ବରିଷ୍ଠ ଅଧିକାରୀ, ଟେକନିକାଲ ଟିମ୍‌ ଦୁର୍ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏବେବି ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଥିବାରୁ ଢେଙ୍କାନାଳ-ସମ୍ବଲପୁର ରେଲ୍ ସେକସନ୍ ଅଧୀନରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏଥିପାଇଁ ଆଜି ୧୨ଟି ଟ୍ରେନକୁ ବାତିଲ କରାଯାଇଥିବା ବେଳେ ୮ଟି ଟ୍ରେନ୍‌ର ଗତିପଥ ବଦଳା ଯାଇଥିବା ନେଇ ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.