Odisha Link
Bridging the Missing Links in Odisha

ଆଜି ବି ପ୍ରବଳ ବର୍ଷିବ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବ‌ରେ ଦୁଇ ଦିନ ହେଲା ଉପକୂଳ ଓ ଆ‌ଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି। ପାଣିପାଗ ବିଭାଗ ଆଜି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା ସମେତ ମହାନଦୀର ଉପରମୁଣ୍ଡ ତଥା ଛତିଶଗଡ଼ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ବିଶେଷକରି ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଦୁଇ ଦିନ‌ର ବର୍ଷାରେ ରାଜ୍ୟର ପ୍ରାୟ ସବୁ ବଡ଼ ନଦୀ ଏବେ ଫୁଲୁଥିବାରୁ ସାରା ରାଜ୍ୟଶରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି।

ଆଇଏମ୍‌ଡି ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ୧୭ତାରିଖ ପାଖାପାଖି ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ୧୮ତାରିଖ ସକାଳ ପାଖାପାଖି ଉତ୍ତର ଓଡ଼ିଶା ଉପକୂଳରେ ପହଞ୍ଚିବ। ଏହା ପ୍ରଭାବରେ ୧୭ତାରିଖରୁ ରାଜ୍ୟରେ ପୁଣି ବର୍ଷା ହେବ। ଯଦି ପାଣିପାଗ ବିଭାଗର ଏହି ଆକଳନ ସତ ହୁଏ ତେବେ ରାଜ୍ୟରେ ବଡ଼ ବନ୍ୟା ଆଶଙ୍କାକୁ ଏଡ଼ାଇ ହେବନି।

ଦୁଇ ଦିନ ହେଲା ଲଗାଣ ବର୍ଷା ଯୋଗୁଁ ଭୁବନେଶ୍ବର, କଟକ, ପୁରୀ ସମେତ ସମସ୍ତ ସହରାଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଉପକୂଳ ଓଡ଼ିଶାରେ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ଆଜି ବର୍ଷା ଆରମ୍ଭ ହୋଇଯାଇଛି। ଫଳରେ ମହାନଦୀ, ବ୍ରାହ୍ମଣୀ, ବୈତରଣୀ,ଋଷିକୂଲ୍ୟା, ବଂଶଧାରା ସମେତ ମହାନଦୀର ସମସ୍ତ ଶାଖା ନଦୀରେ ଜଳ ସ୍ତର ବଢ଼ିବାରେ ଲାଗିଛି।

Leave A Reply

Your email address will not be published.