Odisha Link
Bridging the Missing Links in Odisha

କୋହଲି ଅଧିନାୟକ ପଦ ଛାଡିବା ପରେ ମୁହଁ ଖୋଲିଲେ ଗାଙ୍ଗୁଲି, କହିଲେ…

ନୂଆଦିଲ୍ଲୀ: ବିରାଟ ଟି-୨୦ ଅଧିନାୟକ ପଦ ଛାଡିବା ନେଇ ଘୋଷଣା କରିଛନ୍ତି। ଏଭଳି ଘୋଷଣା ପରେ କ୍ରିକେଟପ୍ରେମୀଙ୍କ ମନରେ ଅନେକ ପ୍ରଶ୍ନ ଉଠୁଥିବା ବେଳେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ମୁହଁ ଖୋଲିଛନ୍ତି। ଟି-୨୦ରେ ଅଧିନାୟକ ଭାବେ କୋହଲି ଦମଦାର ପ୍ରଦର୍ଶନ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ଗାଙ୍ଗୁଲି। ଏପରିକି ଭବିଷ୍ୟତର ରୋଡମ୍ୟାପକୁ ଦୃଷ୍ଟିରେ ରଖି କୋହଲି ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ଗାଙ୍ଗୁଲି।

କୋହିଲଙ୍କ ଘୋଷଣା ପରେ ବିସିସିଆଇ ପକ୍ଷରୁ ଏକ ବୟାନ ଜାରି କରାଯାଇଥିଲା। ଯେଉଁଥିରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି, ଟିମ୍ ଇଣ୍ଡିଆର ମୂଲ୍ୟବାନ ଖେଳାଳୀ ଭାବେ ବିରାଟ ଜଣାଶୁଣା। ସବୁ ଫର୍ମାଟରେ ବିରାଟ ଜଣେ ସଫଳ ଅଧିନାୟକ। ଏପରିକି ଅଧିନାୟକ ଭାବେ କୋହଲି ଦମଦାର ପ୍ରଦର୍ଶନ ମଧ୍ୟ କରିଛନ୍ତି। କିନ୍ତୁ ଏଭଳି ନିଷ୍ପତ୍ତି ଭବିଷ୍ୟତର ରୋଡମ୍ୟାପକୁ ଦୃଷ୍ଟିରେ ରଖି ନିଆଯାଇଛି। ଦମଦାର ପ୍ରଦର୍ଶନ ପାଇଁ ଧନ୍ୟବାଦ ଦେବା ସହ ଆଗାମୀ ବିଶ୍ୱକପ ପାଇଁ ଶୁଭକାମନା ଜଣାଇଛନ୍ତି। ଏପରିକି ଏହି ଟୁର୍ଣ୍ଣାମେଣ୍ଟରେ ବିରାଟ ଅଧିକରୁ ଅଧିକ ରନ୍ କରନ୍ତୁ ବୋଲି ଗାଙ୍ଗୁଲି କହିଛନ୍ତି।

ଅନ୍ୟପଟେ ବିସିସିଆଇ ସଂପାଦକ ଜୟ ଶାହା କହିଛନ୍ତି, ଗତ ୬ ମାସ ହେବ କୋହଲି ଓ ଅନ୍ୟ ଶୀର୍ଷ ଖେଳାଳୀଙ୍କ ସହ ଆଲୋଚନା ହେଉଛି। ଟିମ୍ ଇଣ୍ଡିଆର ଭବିଷ୍ୟତ ପାଇଁ ଏକ ସ୍ପଷ୍ଟ ରୋଡମ୍ୟାପ୍ ରହିଛି। ଅଧିକ ଖେଳ ଚାପ ଯୋଗୁଁ ଆଗାମୀ ଟି-୨୦ ବିଶ୍ୱକପ୍ ପରେ ଟି-୨୦ରୁ ଅଧିନାୟକ ପଦ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି କୋହଲି। ଜଣେ ଖେଳାଳୀ ତଥା ଟିମର ସବୁଠୁ ଅନୁଭବୀ ସଦସ୍ୟ ଭାବେ ଭାରତୀୟ କ୍ରିକେଟର ଭବିଷ୍ୟତକୁ ସଫଳତାର ଶିଖରରେ ପହଞ୍ଚାଇବା ପାଇଁ କୋହଲିଙ୍କ ଯୋଗଦାନ ଜାରି ରହିବ।

୨୦୧୭ରେ କୋହଲି ଟି-୨୦ ଅଧିନାୟକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଟି-୨୦ରେ କୋହଲିଙ୍କ ରେକର୍ଡ ମଧ୍ୟ ବେଶ ଦମଦାର ରହିଛି। ବିରାଟଙ୍କ ନେତୃତ୍ୱରେ ୪୫ଟି ଟି-୨୦ ମୁକାବିଲାରୁ ଭାରତ ୨୭ଟି ବିଜୟୀ ହୋଇଥିବା ବେଳେ ୧୪ଟି ପରାଜିତ ହୋଇଛି। ସେହିଭଳି ୪ଟି ମ୍ୟାଚରେ କୌଣସି ଫଳାଫଳ ମିଳିପାରିନାହିଁ।

Leave A Reply

Your email address will not be published.