Odisha Link
Bridging the Missing Links in Odisha

ପିପିଲି ଉପନିର୍ବାଚନ ନେଇ ସିଇଓଙ୍କ ପ୍ରେସମିଟ୍

ପିପିଲି: ଆସନ୍ତା ୩୦ ତାରିଖରେ ପିପିଲି ଉପ-ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗ ସୁଶୀଲ କୁମାର ଲୋହାନି। କରୋନା କାଳରେ ନିର୍ବାଚନ ହେଉଥିବାରୁ ଅନେକ ଦିଗ ଉପରେ ଦୃଷ୍ଟି ଦିଆଯାଇଛି।

ନିର୍ବାଚନ ପରିଚାଳନା ପାଇଁ ୨୨୦୦ ଜଣ ପୁଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏହାସହ ପାଖାପାଖି ୨୦୦୦ ପୋଲିସ କର୍ମଚାରୀ, ବିଏସଏଫର ୩ଟି ଟିମ୍ ମୁତୟନ କରାଯାଇଛି। ୩୨ଟି ମୋବାଇଲ ପାର୍ଟି ନିୟୋଜିତ ହେବେ। ଆଉ ଏସପିଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ।

ମୋଟ ୩୪୮ଟି ବୁଥରୁ ୨୦୧ଟି ବୁଥକୁ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଛି। ଯେଉଁଠି ମାଇକ୍ରୋ ଅବଜରଭର କିମ୍ବା ସେଣ୍ଟ୍ରାଲ ଫୋର୍ସ ମୁତୟନ କରାଯିବ। ଏହାବ୍ୟତୀତ ଏହି ବୁଥ୍ ଗୁଡିକରେ ୱେବକାଷ୍ଟ ଓ ସିସିଟିଭି ମଧ୍ୟ ଲଗାଯିବ। ପିପିଲିରେ ମୋଟ ୨ ଲକ୍ଷ ୨୯ ହଜାର ୯୯୮ ଭୋଟର ରହିଛନ୍ତି।

ନିର୍ବାଚନରେ ସଂପୃକ୍ତ ଥିବା ସମସ୍ତ କର୍ମଚାରୀ ୨ଟି ଡୋଜ ଟିକା ନେଇଥିବା ଆବଶ୍ୟକ। ଡ୍ୟୁଟିକୁ ଆସିବା ବେଳେ କର୍ମଚାରୀମାନେ ୨ଟି ଡୋଜ ଟିକା ନେଇଥିବାର ପ୍ରମାଣପତ୍ର ଧରିକି ଆସିବେ। ୩୪୮ଟି ଭିଭିପାଟର ବ୍ୟବହାର କରାଯିବ। କୌଣସି ଇଭିଏମରେ ତ୍ରୁଟି ଦେଖାଦେଲେ ତୁରନ୍ତ ଏହାକୁ ସଜାଡିବେ। କିଛି ଇଭିଏମ ଗଚ୍ଛିତ ରଖାଯାଇଛି।

ପ୍ରତି ବୁଥରେ ୧୦୦୦ ଜଣ ମତ ଦାତା ଭୋଟ ଦେଇ ପାରିବେ। ତେବେ ଏହି ସମୟରେ ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜେସନ ବ୍ୟବସ୍ଥା କରାଯିବ। ଭୋଟର ଆଇକର୍ଡ଼ ପରେ ୧୧ ଟି ଅନ୍ୟ ଆଇଡି ଦେଖାଇ ଲୋକମାନେ ଭୋଟ ଦେଇ ପାରିବେ। ପ୍ରତ୍ୟେକ ଭୋଟରଙ୍କୁ ହ୍ୟାଣ୍ଡ ଗ୍ଲୋଭସ ଦିଆଯିବ। ସମସ୍ତଙ୍କର ଥର୍ମାଲ ସ୍କାନିଂ କରାଯିବ। ଯେଉଁମାନଙ୍କର ଅଧିକ ତାପମାତ୍ରା ଅଧିକ ଥିବ ସେମାନଙ୍କୁ ଚିରକୁଟ ଦିଆଯାଇ ପଠାଯିବ। ଶେଷ ଘଣ୍ଟାରେ ସେମାନେ ଆସି ଭୋଟ ଦେବେ। ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ।

Leave A Reply

Your email address will not be published.