Odisha Link
Bridging the Missing Links in Odisha

ପ୍ରସିଦ୍ଧ ପଦାର୍ଥବିଜ୍ଞାନୀ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ

ତାଙ୍କ ମୃତ୍ୟୁରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକବ୍ୟକ୍ତ କରିଛନ୍ତି

ଭୁବନେଶ୍ବର: ନୟାଗଡ଼ର ସୁଯୋଗ୍ୟ ସନ୍ତାନ, ଓଡ଼ିଶାର ଅଦ୍ୱିତୀୟ ବରପୁତ୍ର ପଦ୍ମଭୂଷଣ ପ୍ରଫେସର ତ୍ରିଲୋଚନ ପ୍ରଧାନଙ୍କର ଦେହାନ୍ତ ହୋଇଯାଇଛି। ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଡ. ପ୍ରଧାନ ଆଜି ଭୁବନେଶ୍ବରସ୍ଥିତ ବାସଭବନରେ ଶେଷନିଶ୍ବାସ ତ୍ୟାଗକରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। ତାଙ୍କ ଦେହାନ୍ତ ଭାରତୀୟ ପଦାର୍ଥ ବିଜ୍ଞାପ ଜଗତରେ ଏକ ଅପୂରଣୀୟ କ୍ଷତି।

୩ ଜାନୁଆରୀ ୧୯୨୯ରେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାର ବ୍ଳକ୍ ଘଣାଶାଳିଆ ଗାଁରେ ଜନ୍ମିତ ଡ. ପ୍ରଧାନ ନୟାଗଡ଼ ଉଚ୍ଚବିଦ୍ୟାଳୟରୁ ଶିକ୍ଷାସମାପ୍ତ ପରେ ରେଭେନ୍ସା ମହାବିଦ୍ୟାଳୟରୁ ୧୯୪୫ରେ ସ୍ନାତକ ଉତ୍ତୀର୍ଣ୍ଣ ହୋଇଥିଲେ।୧୯୪୯ରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ସମାପ୍ତ ଅନ୍ତେ ସେ ରେଭେନ୍ସାରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ। ପରେ ଉଚ୍ଚଶିକ୍ଷା ପାଇଁ ସେ ରେଭେନ୍ସା ଛାଡ଼ି ଆମେରିକା ଗମନ କରିଥିଲେ। ଆମେରିକାର ସିକାଗୋ ବିଶ୍ୱବିଦ୍ୟାଳୟରୁ ୧୯୫୬ ମସିହାରେ ପିଏଚଡି କରିଥିଲେ।

ଡ. ପ୍ରଧାନ ୧୯୬୪ରୁ ୧୯୭୪ ଗୋଟିଏ ଦଶନ୍ଧି ଶାହା ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁକ୍ଲିଆର ଫିଜିକ୍ସର ମୁଖ୍ୟ ଭାବେ ଅବସ୍ଥାପିତ ଥିଲେ। ଭୁବନେଶ୍ବର ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ (Institute of Physics)ର ସେ ଥିଲେ ପ୍ରତିଷ୍ଠାତା ନିର୍ଦ୍ଦେଶକ (୧୯୭୪-୮୯)। ୧୯୮୯ରୁ ୧୯୯୧ ଯାଏଁ ସେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପଦମଣ୍ଡନ କରି ଅବସର ନେଇଥିଲେ।

ଭାରତର ଜଣେ ଜଣାଶୁଣା ଗବେଷକ ଓ ପଦାର୍ଥ ବିଜ୍ଞାନୀ ଭାବେ ସେ ଭାରତ ସରକାରଙ୍କଠାରୁ ପଦ୍ମବିଭୂଷଣ ଉପାଧି ସମେତ କଳିଙ୍ଗ ୟୁନେସ୍କା ପୁରସ୍କାର, ମେଘନାଦ ଶାହା ପୁରସ୍କାର ଓ ବହୁ ସମ୍ମାନ ଲାଭ କରିଥିଲେ। ତାଙ୍କ ଲିଖିତ ତିନୋଟି ଗବେଷଣାତ୍ମକ ପୁସ୍ତକ The Photon, (Nova Science Publishers, New York), Quantum Mechanics (University Press of Hyderabad) ଓ Electron Capture by Protons Passing through Hydrogen ତାଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅଧିକ ପ୍ରସିଦ୍ଧି ଆଣିଛି।

ତାଙ୍କ ମୃତ୍ୟୁରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.