Odisha Link
Bridging the Missing Links in Odisha

୩ ବର୍ଷ ପରେ ଅଧିନାୟକ ପଦକୁ ଫେରିଲେ ଷ୍ଟିଭ ସ୍ମିଥ

ଆଡିଲେଡ: ଆରମ୍ଭ ହେଲା ଆଶେସ୍‌ ସିରିଜର ଦ୍ବିତୀୟ ମ୍ୟାଚ୍‌। ଦିବାରାତ୍ର ଟେଷ୍ଟରେ ଘରୋଇ ଅଷ୍ଟ୍ରେଲିଆ ଦଳକୁ ଲାଗିଛି ଜୋରଦାର ଝଟକା। ଦଳର ଅଧିନାୟକ ତଥା ଦ୍ରୁତ ବୋଲର ପ୍ୟାଟ କମିନ୍ସ ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି। ଯାହାଫଲରେ ସେ ଦିବାରାତ୍ର ଟେଷ୍ଟରୁ ବାଦ୍‌ ପଡ଼ିଛନ୍ତି।

କମିନ୍ସ ଦ୍ୱିତୀୟ ଟେଷ୍ଟରୁ ବାଦ ପଡ଼ିଥିବାରୁ ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ମଙ୍ଗ ଷ୍ଟିଭ ସ୍ମିଥ ସମ୍ଭାଳିବେ। ୨୦୧୮ ମସିହା ବଲ ଟାମ୍ପରିଂ ଘଟଣା ଯୋଗୁ କ୍ରିକେଟ ଅଷ୍ଟ୍ରେଲିଆ ସ୍ମିଥଙ୍କୁ ଅଧିନାୟକ ପଦରୁ ହଟାଇ ଦେଇଥିଲା। ଏବେ ଦୀର୍ଘ ୩ ବର୍ଷ ପରେ ତାଙ୍କୁ ଅଷ୍ଟ୍ରେଲିଆ ଦଳର କାମଚଳା ଅଧିନାୟକ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ବିଶ୍ୱର ନମ୍ବର ୧ ଟେଷ୍ଟ ବୋଲର ପାଟ କମିନ୍ସ ଆଡିଲେଡର ଗୋଟିଏ ରେଷ୍ଟୁରାଣ୍ଟକୁ ଯାଇଥିଲେ। ଏହି ସମୟରେ ତାଙ୍କ ପାଖ ଟେବୁଲରେ ବସିଥିବା ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏଥିପାଇଁ କମିନ୍ସର ଟେଷ୍ଟ ମଧ୍ୟ କରାଯାଇଥିଲା। ହେଲେ ଆଡିଲେଡ ପ୍ରଶାସନର ନିୟମ ଅନୁଯାୟୀ, ରିପୋର୍ଟ ନେଗେଟିଭ ଆସିଲେ ମଧ୍ୟ ପଜିଟିଭ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ ୭ ଦିନ ସଙ୍ଗରୋଧରେ ରହିବେ। ତେଣୁ କମିନ୍ସ ମଧ୍ୟ ଏବେ ୭ ଦିନ ଆଇସୋଲେସନରେ ରହିବେ।

ସୂଚନାଯୋଗ୍ୟ, ବ୍ରିସବେନରେ ଖେଳାଯାଇଥିବା ଆଶେସ ସିରିଜ୍‌ର ପ୍ରଥମ ଟେଷ୍ଟକୁ ଅଷ୍ଟ୍ରେଲିଆ ୯ ୱିକେଟରେ ଜିତି ନେଇଛି। ଏହି ମ୍ୟାଚ୍‌ରେ ଟ୍ରାଭିସ ହେଡ୍‌ ଶତକୀୟ ଇନିଂସ ଖେଳି ମ୍ୟାଚ୍‌ ଅଫ ଦି ମ୍ୟାଚ୍‌ ପୁରସ୍କାର ପାଇଥିଲେ। ଏବେ ୧-୦ରେ ପଛୁଆ ଥିବା ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟରେ କମବ୍ୟାକ କରିବାକୁ ନଜର ରଖିଛି।

Leave A Reply

Your email address will not be published.