ଭାରତରେ ଓମିକ୍ରନ୍ର ଶତକ, ଚିନ୍ତାରେ ସରକାର

ନୂଆଦିଲ୍ଲୀ: ସାରା ବିଶ୍ବକୁ ଘାରିଛି ଓମିକ୍ରନ୍ ଚିନ୍ତା। ବିଶ୍ବର ୯୧ଟି ଦେଶରେ ଓମିକ୍ରନ୍ କାୟା ବିସ୍ତାର କରିବାରେ ଲାଗିଛି। ଏସବୁ ମଧ୍ୟରେ ଭାରତରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର କରିଛି। ଦେଶର ୧୧ଟି ରାଜ୍ୟରୁ ୧୦୧ ଜଣଙ୍କ ନିକଟରେ ଓମିକ୍ରନ୍ ଭାରିଏଣ୍ଟ ଚିହ୍ନଟ ହୋଇଛି।
କରୋନାର ନୂଆ ପ୍ରଜାତି ଓମିକ୍ରନ୍ ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡ଼ିଚାଲିଛି। ୧୧ ରାଜ୍ୟରୁ ମୋାଟ୍ ୧୦୧ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଆଜି ସୂଚନା ଦେଇଛନ୍ତି କେନ୍ଦ୍ର ସରକାର। ଏସବୁ ମଧ୍ୟରେ ଆଶ୍ବସ୍ତିକର ଖବର ଆଣିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ। ଡବ୍ଲୁଏଚ୍ ପକ୍ଷରୁ କୁହାଯାଇଛି ଯେ, ଓମିକ୍ରନ୍ ଆକ୍ରାନ୍ତଙ୍କ ପାଇଁ ହେଉଥିବା ଚିକିତ୍ସା ପଦ୍ଧତିରେ କୌଣସି ପରିବର୍ତ୍ତନ ହେବ ନାହିଁ। କରୋନାର ଅନ୍ୟ ପ୍ରଜାତି ଭଳି ଓମିକ୍ରନ୍ର ମଧ୍ୟ ଚିକିତ୍ସା ହେବ। କାରଣ ଚାଲିଥିବା ଚିକିତ୍ସା ପଦ୍ଧତି ଓମିକ୍ରନ୍ କ୍ଷେତ୍ରରେ ସଫଳ ସାବ୍ୟସ୍ତ ହେଉଛି।
ସବୁଠୁ ବଡ଼କଥା ହେଲା ଦେଶରେ ଚିହ୍ନଟ ହେେଉଥିବା ଓମିକ୍ରନ୍ ଆକ୍ରାନ୍ତଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ। ତେବେ ଏହାକୁ ଏବେ ଠାରୁ ଗୋଷ୍ଠୀ ସଂକ୍ରମଣ କୁହାଯାଇ ପାରିବନି ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଯୁଗ୍ମ ସଚିବ । ସେହିପରି ଆଇସିଏମଆର ଡିଜି ଡାକ୍ତର ବଳରାମ ଭାର୍ଗବ କହିଛନ୍ତି, ଏବେ ସମୟ ଆସିଛି, ଜରୁରୀ ନଥିଲେ ବାହାରେ ବୁଲିବା, ଭିଡ଼ ସ୍ଥାନକୁ ନଯିବା ଏବଂ ଅଳ୍ପ ଲୋକରେ ପର୍ବପର୍ବାଣୀ ପାଳନ କରିବା।