Odisha Link
Bridging the Missing Links in Odisha

କିଏ ସନ୍ଥ ରବି ଦାସ? ଯାହାଙ୍କ ଜୟନ୍ତୀ ପାଇଁ ବଦଳିଗଲା ନିର୍ବାଚନ ତାରିଖ

ଓଏଲ୍‌ ବ୍ୟୁରୋ: ବାଜି ସାରିିଥିଲା ବିଧାନସଭା ନିର୍ବାଚନ ବିଗୁଲ। ପଞ୍ଜାବ ରାଜନୀତିର ପାଓ୍ବାର କରିଡରର ପାରା ମଧ୍ୟ ବଢ଼ି ସାରିଛି। ଏପରିକି ଆରମ୍ଭ ହୋଇଯାଇଥିଲା ରାଜନୈତିକ ରଣନୀତି। ହେଲେ ବଦଳିଗଲା ନିର୍ବାଚନ ତାରିଖ। ତାହା ପୁଣି ଜଣେ ସନ୍ଥଙ୍କ ଜୟନ୍ତୀ ପାଇଁ। ତେବେ ଏହି ରିପୋର୍ଟରେ ଜାଣନ୍ତୁ ସନ୍ଥ ଜଣଙ୍କ କିଏ ?

ସନ୍ଥ ରବିଦାସଙ୍କ ଜୟନ୍ତୀ କାରଣରୁ ବଦଳିଲା ପଞ୍ଜାବ ବିଧାନସଭା ନିର୍ବାଚନ ତାରିଖ। ଭକ୍ତି କାଳର ଏହି ମହାନ୍‌ ସନ୍ଥଙ୍କ ଜୟନ୍ତୀକୁ ପ୍ରତିବର୍ଷ ଧୁମଧାମରେ ପାଳନ କରାଯାଏ। ଅନେକ ଐତିହାସିକଙ୍କ ମତ ଅନୁଯାୟୀ, ସନ୍ଥ ରବିଦାସଙ୍କ ଜନ୍ମ ୧୪୫୦ ମସିହାରେ ବାରଣାସୀ ନିକଟସ୍ଥ ଗୋବର୍ଦ୍ଧନପୁରରେ ହୋଇଥିଲା।

ସନ୍ଥ ରବିଦାସଙ୍କୁ ଗୁରୁ ରବିଦାସ ମଧ୍ୟ କୁହାଯାଏ। ଭକ୍ତି କାଳର ଏହି ମହାନ୍‌ ସନ୍ଥ ଓ କବିଙ୍କ ବହୁତ ଶ୍ରଦ୍ଧାଳୁ ଏହି ଦୁନିଆରେ ରହିଛନ୍ତି। ସନ୍ଥ ରବିଦାସ ସମାଜରେ ଘଟୁଥିବା ସାମାଜିକ କୁସଂସାର ଓ ଛୁଆଁ ଭେଦଭାବ ଭଳି କୁପ୍ରଥା ବିପକ୍ଷରେ ସ୍ବର ଉଠାଇଥିଲେ। ଯାହାଫଳରେ ତାଙ୍କ ନାମ ଇତିହାସର ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି।

ସନ୍ଥ ରବିଦାସ ଭକ୍ତି ସମୟର ନିର୍ଗୁଣ ପରମ୍ପରାର ଭକ୍ତ କବି ଥିଲେ। ସେ ସାମାଜିକ କୁପ୍ରଥା ଓ ଛୁଆଁ ଅଛୁଆଁ ଭେଦଭାବ ଭଳି କୁପ୍ରଥା ବିପକ୍ଷରେ ଆଜୀବନ ଲଢ଼େଇ କରିଥିଲେ। ସାମାଜିକ ପରିବର୍ତ୍ତନ ଆଣିବା ପାଇଁ ସେ ବହୁ ସାହସିକ ପଦକ୍ଷେପ ମଧ୍ୟ ନେଇଥିଲେ। ଯେଉଁଥିପାଇଁ ସେ ଆଜିବି ଲୋକଙ୍କ ହୃଦୟରେ ଅମର ହୋଇ ରହିଛନ୍ତି। ସେ ନିଜର କବିତା ମାଧ୍ୟମରେ ସାମାଜିକ କୁପ୍ରଥା ବିପକ୍ଷରେ ଲଢ଼େଇ କରୁଥିଲେ। ଯାହାଙ୍କୁ ମୀରାବାଈ ମାନୁଥିଲେ ଆଧ୍ୟତ୍ମିକ ଗୁରୁ।

ସନ୍ତ ରବିଦାସଙ୍କ ଜୟନ୍ତୀରେ ପ୍ରତିବର୍ଷ ବାରଣାସୀରେ ଭବ୍ୟ ସମାରୋହ ଆୟୋଜନ କରାଯାଇଥାଏ। ବହୁ ଲୋାକ ଏହି ଭବ୍ୟ ଉତ୍ସବରେ ମଧ୍ୟ ଯୋଗ ଦେବାକୁ ଦେଶର କୋଣଅନୁକୋଣରୁ ବାରଣାସୀ ଆସିଥାନ୍ତି। ମାଘ ମାସର ପୂର୍ଣ୍ଣିମାରେ ସନ୍ଥ ରବିଦାସଙ୍କ ଜୟନ୍ତୀ ପାଳନ କରାଯାଏ। ଯାହା ଚଳିତବର୍ଷ ଫେବ୍ରୁଆରୀ ମାସ ୧୬ ତାରିଖରେ ଅନୁଷ୍ଠିତ ହେବ। ପଞ୍ଜାବରେ ଅନୁସୁଚିତ ଜାତି ଲୋକଙ୍କ ସଂଖ୍ୟା ଅଧିକ। ଆଉ ଏହି ସମୁଦାୟର ବହୁ ଲୋକ ବାରଣାସୀ ଯାତ୍ରା କରିଥାନ୍ତି। ଯାହାକୁ ନଜରରେ ରଖି ପଞ୍ଜାବ ନିର୍ବାଚନ ତାରିଖକୁ ଘୁଞ୍ଚାଇଛନ୍ତି ନିର୍ବାଚନ କମିଶନର।

Leave A Reply

Your email address will not be published.