ଆଜିଠୁ ବଜେଟ୍ ଅଧିବେଶନ
ପ୍ରଥମ ଦିନରେ ଲୋକସଭାରେ ୨୦୨୨-୨୩ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିବେ ସରକାରଙ୍କ ମୁଖ୍ୟ ଉପଦେଷ୍ଟା ଡକ୍ଟର ଭି. ଅନନ୍ତ ନାଗେଶ୍ୱରନ

ଓଏଲ୍ ବ୍ୟୁରୋ : ଆଜିଠାରୁ ଆରମ୍ଭ ହେଉଛି କେନ୍ଦ୍ରୀୟ ବଜେଟ୍ ଅଧିବେଶନ। ଆସନ୍ତାକାଲି ଆସିବ ସାଧାରଣ ବଜେଟ୍। ପ୍ରଥମଥର ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହର ସଦସ୍ୟଙ୍କୁ ଉଦବୋଧନ ଦେବା ପରେ ଆରମ୍ଭ ହେବ ୨୦୨୩-୨୪ ଆର୍ଥକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍। ଅଧିବେଶନର ପ୍ରଥମ ଦିନରେ ଲୋକସଭାରେ ୨୦୨୨-୨୩ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିବେ ସରକାରଙ୍କ ମୁଖ୍ୟ ଉପଦେଷ୍ଟା ଡକ୍ଟର ଭି. ଅନନ୍ତ ନାଗେଶ୍ୱରନ।
ଆସନ୍ତାକାଲି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବେ। ଏଥର ବଜେଟ୍ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ଏବଂ ଏଥିରେ ୨୭ଟି କାର୍ଯ୍ୟ ଦିବସ ରହିବ ବୋଲି କୁହାଯାଉଛି। ପ୍ରଥମ ପର୍ଯ୍ୟାୟ ଫେବୃୟାରୀ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିପରି ଦ୍ୱିତୀୟ ଅଧିବେଶନ ମାର୍ଚ୍ଚରେ ଆରମ୍ଭ ହୋଇ ଏପ୍ରିଲ ପ୍ରଥମ ସପ୍ତାହରେ ଶେଷ ହେବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭା ଓ ରାଜ୍ୟସଭାରେ ବିବୃତି ରଖିବେ।
ଏହି ଅଧିବେଶନରେ ସରକାର ବଜେଟ ସମେତ ୩ଟି ବିଲ୍ ଆଣିବା ପାଇଁ ଯୋଜନା ରଖିଛନ୍ତି। ଅଧିବେଶନ ଏପ୍ରିଲ ପର୍ଯ୍ୟନ୍ତ ହେବାକୁ ଥିବା ବେଳେ ମଝିରେ ବଜେଟ ପେପର ଯାଞ୍ଚ ଲାଗି ମାସେ ସମୟ ଅବକାଶ ରହିବ। ଅଧିବେଶନର ପ୍ରଥମ ୨ ଦିନ ପ୍ରଶ୍ନକାଳ ଓ ଶୂନ୍ୟକାଳ ରହିବ ନାହିଁ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ତେଣୁ ଏଥିଲାଗି ସରକାର କିଛି ଜନପ୍ରିୟ ଯୋଜନା ପ୍ରସ୍ତୁତି କରିଥିବା ଅନୁମାନ କରାଯାଉଛି।