Odisha Link
Bridging the Missing Links in Odisha

ବିଧାନସଭା: ୨ ବର୍ଷରେ ଓଡ଼ିଶା ନେତାଙ୍କ ବିମାନ ଖର୍ଚ୍ଚ ୩୧.୩୮ କୋଟି

ଓଏଲ୍‌ ବ୍ୟୁରୋ: ଚାଲିଛି ବିଧାନସଭା। ବଜେଟ ଅଧିବେଶନର ଦ୍ବିତୀୟ ଚରଣରେ ସୁରୁଖୁରରେ ଚାଲିଛି ଗୃହକାର୍ଯ୍ୟ। ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ବିମାନ ଗସ୍ତ ବାବଦକୁ ଅର୍ଥ ବ୍ୟୟ ପ୍ରସଙ୍ଗରେ ପଶ୍ନ କରିଥିଲେ। ସେ କହିଥିଲେ ଯେ, ଗତ ଦୁଇ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମାନଙ୍କ ରାଜ୍ୟ ମଧ୍ୟରେ କିମ୍ବା ରାଜ୍ୟବାହାରକୁ କେତେ ଥର ବିମାନ ଗସ୍ତ କରିଛନ୍ତି ଏବ ବାବଦକୁ ରାଜ୍ୟ ସରକାର କେତେ ଅର୍ଥ ଭରଣା କରିଛନ୍ତି ତାହାର ପୂର୍ଣ୍ଣ ବିବରଣୀ ପ୍ରଦାନ କରିବେ କି? ଏହି ପ୍ରଶ୍ନର ଉତ୍ତର ରଖି ସଂସଦୀୟ ବ୍ୟାପର ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଦୁଇ ବର୍ଷ ମଧ୍ୟରେ ମୋଟ ୩୧.୩୮କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ସଂସଦୀୟ ବ୍ୟାପାର ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସୂଚନା ଅନୁସାରେ, ୨୦୨୧ ମାର୍ଚ୍ଚରୁ ୨୦୨୩ ଫେବ୍ରୁଆରୀ ମଧ୍ୟରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କ ବିମାନ ଖର୍ଚ୍ଚ ବାବଦକୁ ମୋଟ ୩୧.୩୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ମୁଖ୍ୟମନ୍ତ୍ରୀ ଗତ ୨ବର୍ଷ ମଧ୍ୟରେ ଭଡ଼ାରେ ଆସିଥିବା ହେଲକପ୍ଟର ଓ ଏୟାରକ୍ରାପ୍ଟରେ ୬୪ଥର ଗସ୍ତ କରିଛନ୍ତି। ତାଙ୍କ ପଛକୁ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ସର୍ବାଧିକ ୨୧ଥର ବିମାନରେ ଉଡ଼ାଣ କରିଛନ୍ତି।

ସେ ଅଧିକାଂଶ ଥର ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାକୁ ଯାଇଥିବା ସୂଚନା ମିଳିଛି।ମନ୍ତ୍ରୀ ତୁଷାରିକାନ୍ତି ବେହେରାଙ୍କ ପରେ ସ୍ୱର୍ଗତ ନବ ଦାସ ୧୧ଥର ହେଲିକପ୍ଟର ଉପଯୋଗ କରିଥିବାବେଳେ ମନ୍ତ୍ରୀ ଜଗନ୍ନାଥ ସାରକା ୪ଥର, ଅଶୋକ ପଣ୍ଡା ୩ଥର, ସମୀର ଦାଶ ୨ଥର ଓ ଟୁକୁନି ସାହୁ ଗୋଟିଏ ଥର ସରକାରୀ ଖର୍ଚ୍ଚରେ ହେଲିକପ୍ଟର ଉପଯୋଗ କରିଛନ୍ତି।

୨୦୨୧ ମାର୍ଚ୍ଚ ୩ରୁ ୨୦୨୩ ଜାନୁୟାରୀ ୨୮ତାରିଖ ମଧ୍ୟରେ ରାଜ୍ୟ ସରକାର ମୋଟ ୭୬ଥର ହେଲିକପ୍ଟର ଭଡ଼ାରେ ନେଇଛନ୍ତି। ଏଥିପାଇଁ ମୋଟ ୧୭.୮୯କୋଟି ଟଙ୍କା ରାଜକୋଷରୁ ଦେଇଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ଉପଯୋଗ ନିମନ୍ତେ ଏହି ଅବଧି ମଧ୍ୟରେ ମୋଟ ୩୬ଥର ହେଲିକପ୍ଟର ଭଡ଼ାରେ ନିଆଯାଇଛି। ୨୦୨୧ ମାର୍ଚ୍ଚରୁ ୨୦୨୩ ଫେବ୍ରୁଆରୀ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟ ଭିତରେ ୧୨ଥର ଏୟାରକ୍ରାଫ୍ଟ ଉପଯୋଗ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସହିତ ଅନ୍ୟ ୪ଜଣ ମନ୍ତ୍ରୀ (ଦିବ୍ୟଶଙ୍କର ମିଶ୍ର ଓ ପଦ୍ମନାଭ ବେହେରା ଗୋଟିଏ ଥର ଲେଖାଏଁ, ମନ୍ତ୍ରୀ ନବ ଦାସ ଓ ତୁଷରକାନ୍ତି ବେହେରା ୮ଥର) ମୋଟ ୧୦ଥର ରାଜ୍ୟ ଭିତରେ ଏୟାରକାଫ୍ଟ୍ର ଭଡ଼ାରେ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଓ ଏହି ୪ ମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟ ଭିତରେ ଏୟାରକାଫ୍ଟ୍ର ଉପଯୋଗ କରିବା ନିମନ୍ତେ ରାଜ୍ୟ ରାଜକୋଷରୁ ୭.୯୩କୋଟି ଟଙ୍କା ଭଡ଼ା ଦିଆଯାଇଛି।

Leave A Reply

Your email address will not be published.