Odisha Link
Bridging the Missing Links in Odisha

ଜୁନରେ ଓଡ଼ିଶା ଆସିବେ ପିଏମ୍‌ ମୋଦି-ଶାହ

ଓଏଲ୍‌ ବ୍ୟୁରୋ: ଦିନ ଗଡ଼ୁଛି ଆଉ ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଛି। ଏହାକୁ ନଜରରେ ରଖି ବିଭିନ୍ନ ରାଜନୈତିକ ଦଳ ଆରମ୍ଭ କଲେଣି ଅଙ୍କକଷା। ଏସବୁ ମଧ୍ୟରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ପରେ ଆଜିଠାରୁ ସାରା ଦେଶରେ ଭାରତୀୟ ଜନତା ପାର୍ଟି ଆରମ୍ଭ କରିଛଇ ମହା ଜନସମ୍ପର୍କ ଅଭିଯାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଗଠନର ୯ବର୍ଷ ପୂର୍ତ୍ତି ଅବସରରେ ଆଗାମୀ ଏକ ମାସ ବ୍ୟାପୀ ସାରେ ଦେଶରେ ମହା ଜନସମ୍ପର୍କ ଅଭିଯାନ କରିବ ବିଜେପି। କହିବାକୁ ଗଲେ ବିଜେପି ୨୦୨୪ ନିର୍ବାଚନ ପାଇଁ ପାକ୍‌ ପ୍ରସ୍ତୁତି ଆରମ୍ଭ କରିଛି।

ସାରା ଦେଶରେ ମୋଦି ସରକାରଙ୍କ ସେବା, ସୁଶାସନ ଓ ଗରୀବକଲ୍ୟାଣର ଗତ ୯ ବର୍ଷର ସଫଳତାକୁ ପ୍ରତ୍ୟେକ ଘରେ ଘରେ ପହଂଚାଇବା ପାଇଁ ବିଜେପି ପକ୍ଷରୁ ଆଜିଠୁ ଆସନ୍ତା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଏକ ମାସ ବ୍ୟାପୀ ‘ମହା ଜନସଂପର୍କ ଅଭିଯାନ’ର ଶୁଭାରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜସ୍ଥାନର ଆଜମେରଠାରେ ମହାରାଲି କରି ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ଆଗାମୀ ୧ ମାସରେ ସମଗ୍ର ଦେଶରେ ଏହି ଭଳି ୫୧ ଟି ମହାରାଲିର ଆୟୋଜନ କରାଯିବ।

ଓଡ଼ିଶା ଆସିବେ ମୋଦି:
ଏହି କ୍ରମରେ ଓଡିଶାରେ ୪ ଟି ମହାସଭା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଯୋଗ ଦେବେ । ଏଥି ସହ ରାଜ୍ୟରେ ୧୦୦୦ ରୁ ଉର୍ଦ୍ଧ୍ୱ ଜନସଭା ଅନୁଷ୍ଠିତ ହେବ। ରାଜ୍ୟରେ ଡବଲ୍ ଇଂଜିନ ସରକାର ପାଇଁ ୧ କୋଟି ପରିବାରକୁ ସମସ୍ତ ୩୭୬୦୬ ବୁଥ୍‌ର ୫ ଲକ୍ଷ କାର୍ଯ୍ୟକର୍ତା ଭେଟି ମୋଦି ସରକାରଙ୍କ ସଫଳତା ବିଷୟରେ ଚର୍ଚ୍ଚା କରିବେ ବୋଲି ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି।

ରାଜ୍ୟରେ ମହା ଜନସଂପର୍କ ଅଭିଯାନକୁ ସଫଳ କରିବା ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କ ଆବାହକତ୍ୱରେ ଏକ ରାଜ୍ୟ କମିଟି ଗଠନ କରାଯାଇଛି। ଭାରତୀୟ ଜନତା ପାର୍ଟି ୫୪୩ ଲୋକସଭା କ୍ଷେତ୍ରକୁ ୧୪୪ଟି କ୍ଲଷ୍ଟରରେ ବିଭକ୍ତ କରିଛି। ପ୍ରତ୍ୟେକ କ୍ଲଷ୍ଟରରେ ଭାରତୀୟ ଜନତା ପାର୍ଟୀର ବରିଷ୍ଠ ନେତୃବୃନ୍ଦ ୮ ଦିନ ବିତାଇବେ। ଓଡିଶାର ୨୧ଟି ଲୋକସଭା କ୍ଷେତ୍ରକୁ ସମୁଦାୟ ୬ଟି କ୍ଲଷ୍ଟରରେ ବିଭକ୍ତ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ, ଅର୍ଜୁନ ମୁଣ୍ଡା, ନିତ୍ୟାନନ୍ଦ ରାୟଙ୍କ ସମେତ ଓଡିଶାର ୩ ଜଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ବିଶ୍ୱେଶର ଟୁଡୁ ପ୍ରମୁଖ ଏହି ମହା ଜନସଂପର୍କ ଅଭିଯାନରେ ସାମିଲ ହେବେ ବୋଲି ଶ୍ରୀ ସାମଲ କହିଛନ୍ତି।

ସେହିପରି ଜୁନ୍ ୨୩ ତାରିଖ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ପୁଣ୍ୟ ତିଥିରେ ପ୍ରଧାନମନ୍ତ୍ରୀ ମୋଦି ଡିଜିଟାଲ ର‌୍ୟାଲି ମାଧ୍ୟମରେ ଦେଶର ୧୦ ଲକ୍ଷ ବୁଥରେ ସମର୍ଥକ, ସମାଜର ବିଭିନ୍ନ ବର୍ଗର ବ୍ୟକ୍ତି ଏବଂ ଦଳୀୟ କାର୍ଯ୍ୟକର୍ତାଙ୍କ ସହ ସିଧାସଳଖ କଥାବାର୍ତାର୍ କରିବେ ବୋଲି ଶ୍ରୀ ସାମଲ କହିଛନ୍ତି।

Leave A Reply

Your email address will not be published.