Odisha Link
Bridging the Missing Links in Odisha

ଦୁର୍ଘଟଣାସ୍ଥଳରେ ମମତା-ଅଶ୍ୱିନୀ କଥା କଟାକଟି

ଏଯାଏଁ ଆହୁରି ଉଦ୍ଧାର କାର୍ଯ୍ୟ ବାକି ଅଛି।

ଓଏଲ୍‌ ବ୍ୟୁରୋ: ଗତକାଲି ବାହାନଗା ଷ୍ଟେସନ ନିକଟ ଦେଇ ହାୱଡାରୁ ଚେନ୍ନାଇ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ୍ ବାହାନଗାରରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଦୁର୍ଘଟଣା ପରେ ଅନେକ ଜୀବନ ଚାଲିଯାଇଥିବାବେଳେ ମେଡିକାଲ ବେଡ଼ରେ ମରଣ ସହ ଲଢେଇ କରୁଛନ୍ତି ଶହ ଶହ ଆହତ। ଗୋଟେପଟେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି ଏବଂ ମୃତ୍ୟୁସଂଖ୍ୟା ୨୩୮ରେ ପହଞ୍ଚିଛି ବୋଲି ମିଳିଥିବା ସୂଚନାକୁ ଅଗ୍ରାହ୍ୟ କରିଛନ୍ତି ମମତା ବାନାର୍ଜୀ। ଏଯାଏଁ ଆହୁରି ଉଦ୍ଧାର କାର୍ଯ୍ୟ ବାକି ଅଛି। ଆହୁରି ୨ଟି ବଗିରେ ଉଦ୍ଧାର କାର୍ଯ୍ୟ ହୋଇନାହିଁ। ମୃତ୍ୟୁ ସଂଖ୍ୟା ୫୦୦ରୁ ଅଧିକ ହୋଇପାରେ ବୋଲି କହିଥିଲେ ମମତା।

ଅନ୍ୟପଟେ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଦୁର୍ଘଟଣାରେ ୨୩୮ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ରେଳମନ୍ତ୍ରୀଙ୍କ ତଥ୍ୟ ଆଜିର ନୁହେଁ, ବରଂ ଗତକାଲିର କହିଛନ୍ତି ମମତା। ଉଦ୍ଧାରକାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବ ବୋଲି କହିଛନ୍ତି ମମତା। ତେଣୁ ମୃତ୍ୟୁ ସଂଖ୍ୟା ସଠିକ୍ ତଥ୍ୟ ଦେବାକୁ ଘଟଣାସ୍ଥଳରେ ଅଶ୍ୱିନୀଙ୍କୁ କହିଛନ୍ତି ମମତା ବାନାର୍ଜୀ। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ମଧ୍ୟରୁ ଏବେଯାଏଁ ୧୨ଜଣ ବଙ୍ଗୀୟ ଯାତ୍ରୀଙ୍କୁ ଚିହ୍ନଟ କରାଯାଇଛି। ତେବେ ମୃତକଙ୍କ ମଧ୍ୟରେ ୬୦ ପ୍ରତିଶତ ବଙ୍ଗୀୟ ଯାତ୍ରୀ ଥିବା ଅନୁମାନ କରିଛନ୍ତି ମମତା।

ଅନ୍ୟପଟେ, ଟ୍ରେନ୍‌ ଦୁର୍ଘଟଣା ପରେ ଗତରାତିରୁ ୩୦୦୦ ୟୁନିଟରୁ ଅଧିକ ରକ୍ତ ସଂଗ୍ରହ ହୋଇଛି ବୋଲି ଏସସିବି ମେଡିକାଲ କଲେଜର ଡକ୍ଟର ଜୟନ୍ତ ପଣ୍ଡା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଆମେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଏହାକୁ ଦାନ କରିଛୁ। ତେବେ ଏଭଳି କରୁଣ ପରିସ୍ଥିତି ବେଳେ ରକ୍ତଭାବରୁ ମୁକ୍ତି ଦେବା ପାଇଁ ଅନେକ ଲୋକ ସ୍ୱଇଚ୍ଛାରେ ରକ୍ତଦାନ କରିଥିବାରୁ ମାନବିକତାର ପରିଚୟ ଦେଲା ଭଳି ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ଗତକାଲି ପ୍ରାୟ ୭ଟା ୧୫ ମିନିଟ୍‌ ସମୟରେ ବାହାନଗା ଷ୍ଟେସନ ନିକଟ ଦେଇ ହାୱଡାରୁ ଚେନ୍ନାଇ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ୍ ପାସ୍‌ କରୁଥିବା ବେଳେ କୌଣସି କାରଣରୁ ଏହା ଲାଇନ୍‌ ଚ୍ୟୁତ୍‌ ହୋଇ ପାଖରେ ଅନ୍ୟ ଲାଇନ୍‌ରେ ଠିଆ ହୋଇଥିବା ଦୁଇଟି ମାଲଗାଡ଼ି ସହ ଧକ୍କା ହୋଇଥିଲା। ଠିକ୍‌ ଏହି ସମୟରେ ଅନ୍ୟ ଏକ ଲାଇନ୍‌ ଦେଇ ଯଶବନ୍ତପୁର-ହାୱାଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍‌ର ଦ୍ରୁତଗତିରେ ପାସ୍ କରୁଥିଲା। ଏହି ଟ୍ରେନ୍‌ ଲାଇନ୍‌ ଉପରେ ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସ୍‌ର ବଗି ପଡ଼ିବାରୁ ଯଶବନ୍ତପୁର-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ୍ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିଲା।

Leave A Reply

Your email address will not be published.