Odisha Link
Bridging the Missing Links in Odisha

ଅଣ୍ଟିଲାନି ଆମ୍ବୁଲାନ୍ସ , ଶବ ବୋହିଲା ଟ୍ରାକ୍ଟର

ଓଏଲ୍‌ ବ୍ୟୁରୋ: ସମୟ ଗଡ଼ିବା ସହିତ ବାଲେଶ୍ବର ଜିଲ୍ଲା ବାହାନଗା ନିକଟରେ ଘଟିଥିବା ଭୟଙ୍କର ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦୁଇଟି ଏକ୍ସପ୍ରେସ୍‌ ଧକ୍କା ହେବାରୁ ୭୦ରୁ ଉର୍ଦ୍ଧ୍ବ ଜୀବନ ଚାଲିଯାଇଥିବା ବେଳେ ୪୦୦ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ଏହି ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ।

ତେବେ ଏସବୁ ମଧ୍ୟରେ ଦୁର୍ଘଟଣାସ୍ଥଳରେ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ଉଦ୍ଧାର କାର୍ଯ୍ୟରେ ୫୦ରୁ ଅଧିକ ଆମ୍ବୁଲାନ୍ସ ନିୟୋଜିତ ହୋଇଥିବା ସତ୍ତ୍ବେ ମୃତାହତଙ୍କୁ ହସ୍ପିଟାଲ ନେବାକୁ ନିଅଣ୍ଟ ହେଲା ଆମ୍ବୁଲାନ୍ସ। ଟ୍ରାକ୍ଟର ଡାଲାରେ ଗଦା କରି ବୁହା ହେଲା ମୃତଦେହ। ପିକ୍‌ଅପ୍‌ ଭ୍ୟାନ୍‌ ଡାଲାରେ ଲୋଡ୍ କରି ବୁହା ହେଲା ଶବ।

ଏଥିସହିତ ଆହତଙ୍କୁ ହସ୍ପିଟାଲ୍‌ ନେବାକୁ ବି ଆମ୍ବୁଲାନ୍ସ ଯଥେଷ୍ଟ ହୋଇନି। ଏମିତି ସ୍ଥିତିରେ ସ୍ଥାନୀୟ ଲୋକେ ଆଗକୁ ଆସି ଯଥା ସମ୍ଭବ ଉଦ୍ଧାରକାର୍ଯ୍ୟରେ ସହାୟତା କରିବା ସହିତ ନିଜ ବାଇକରେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରୁଛନ୍ତି। ଗୁରୁତର ଆହତଙ୍କୁ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଉଛି। ବାଲେଶ୍ୱର, ଭଦ୍ରକ, ସୋର ଡାକ୍ତରଖାନାରେ ଡକ୍ତାର ନଥିବାରୁ ଚିକିତ୍ସାରେ ଅସୁବିଧା ଦେଖାଯାଉଛି। ତେବେ ସରକାରୀ ଭାବେ ମୃତାହତ ସଂଖ୍ୟା ଘୋଷଣା କରାଯାଇନାହିଁ। ସବୁଠୁ ବଡ଼ କଥା ହେଲା ଆହତଙ୍କ ଚିକିତ୍ସା ପାଇଁ ରକ୍ତର ଆବଶ୍ୟକତା ରହିଥିବା ବେଳେ ରକ୍ତ ଭଣ୍ଡାରରେ ଆବଶ୍ୟକ ମୁତାବକ ରକ୍ତ ନାହିଁ। ଏହି ଖବର ପ୍ରସାରଣ ପରେ ବାଲେଶ୍ବରବାସୀ ସ୍ବଇଚ୍ଛାରେ ରକ୍ତ ଦାନ କରିବା ପାଇଁ ମେଡିକାଲ ପରିସରରେ ଲମ୍ବା ଲାଇନ୍‌ କରିଛନ୍ତି। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।

ଏହି ବିପଦ ସମୟରେ ବାଲେଶ୍ବରବାସୀ ମାନବିକତା ଦେଖାଇବା ସହିତ ଆହତଙ୍କ ଜୀବନ ବଞ୍ଚାଇବାକୁ ଏକଜୁଟ ହୋଇଛନ୍ତି। ସେହିପରି କଟକ ବଡମେଡିକାଲକୁ ଆସୁଥିବା ଗୁରୁତର ଆହତଙ୍କୁ ରକ୍ତ ଦେବା ପାଇଁ ବିଜେପି କର୍ମୀ ମାନେ ସ୍ବଇଚ୍ଛାରେ ରକ୍ତଦାନ କରିବାକୁ ଆସିଛନ୍ତି।

ଦୁର୍ଘଟଣା ହେଲା କେମିତି ?
ଖଡ଼ଗପୁର ଡିଆର୍‌ଏମ୍‌ ସୂଚନା ଦେଇ କହିଛନ୍ତି, ବାହାନଗା ନିକଟରେ ପ୍ରଥମେ ଲାଇନଚ୍ୟୁତ ହୋଇଥିଲା କରମଣ୍ଡଳ। କିଛି ସମୟ ପରେ ସେହିବାଟେ ଆସୁଥିବା ଏକ୍ସପ୍ରେସ ଧକ୍କା ହୋଇଥିଲା। ବେଙ୍ଗଲୁରୁ-ହାୱଡ଼ା ଏକ୍ସପ୍ରେସ କରମଣ୍ଡଳକୁ ଧକ୍କା ଦେଇଥିଲା।

Leave A Reply

Your email address will not be published.