Odisha Link
Bridging the Missing Links in Odisha

ବାଲେଶ୍ବର ଟ୍ରେନ୍‌ ଦୁର୍ଘଟଣା: ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ପିଏମ୍‌ ମୋଦି

ଓଏଲ୍‌ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ବାହାନଗା ନିକଟରେ ଭୟଙ୍କର ଦୁର୍ଘଟଣା। ଦୁଇଟି ଏକ୍ସପ୍ରେସ୍‌ ଧକ୍କା ହେବାରୁ ୫୦ରୁ ଉର୍ଦ୍ଧ୍ବ ଜୀବନ ଚାଲିଯାଇଥିବା ବେଳେ ୪୦୦ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ଏହି ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ। କରମଣ୍ଡଳ ଏକ୍ସପ୍ରେସ ଓ ଯଶୱନ୍ତପୁର-ହାୱଡ଼ା ଏକ୍ସପ୍ରେସ ପରସ୍ପର ଭିତରେ ଧକ୍କା ହୋଇଥିବା ସୂଚନା ମିଳିଛି।

ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଗୃହରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଦୁଃଖ ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରସ୍ଥିତ ଏସଆରସି ଅଫିସରେ ସ୍ଥିତିର ସମୀକ୍ଷା କରିବା ପରେ ଆଜି ସକାଳେ ଦୁର୍ଘଟଣାସ୍ଥଳକୁ ଯିବେ ବୋଲି ସୂଚନା ଦେଇଥିବାବେଳେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଘଟଣାସ୍ଥଳକୁ ପଠାଇଛନ୍ତି।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୋଆରୁ ଦୁର୍ଘଟଣାସ୍ଥଳୀ ଅଭିମୁଖେ ଆସୁଥିବା ଜଣାପଡ଼ିଛି। କେନ୍ଦ୍ର ରେଳମନ୍ତ୍ରୀ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ୧୦ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଥିବାବେଳେ ଗୁରୁତରଙ୍କୁ ୨ଲକ୍ଷ ଟଙ୍କା ଓ ସାମାନ୍ୟ ଆହତଙ୍କୁ ୫୦ହଜାର ଟଙ୍କା ସହାୟତା ମିଳିବ ବୋଲି ସୂଚନା ଦେଇଛନ୍ତି । ଏହି ଦୁର୍ଘଟଣା ଯୋଗୁ ଉକ୍ତ ମାର୍ଗରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି ଓ ଅଧିକାଂଶ ଟ୍ରେନ ଚଳାଚଳକୁ ବାତିଲ କରାଯାଇଛି।

ତେବେ ଏହି ଭୟାବହ ଟ୍ରେନ ଦୁର୍ଘଟଣାରେ ରେଳବାଇ ପକ୍ଷରୁ ସହାୟତା ଘୋଷଣା କରାଯାଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବତନ୍ତ୍ର ଭାବେ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ପ୍ରତ୍ୟେକ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଓ ଆହତମାନଙ୍କୁ ୫୦,୦୦୦ ହଜାର ଟଙ୍କା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ ମାଧ୍ୟମରେ ସୂଚନା ଦିଆଯାଇଛି ।

Leave A Reply

Your email address will not be published.