Odisha Link
Bridging the Missing Links in Odisha

ରେଳମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ସୁବ୍ରମନ୍ୟନ୍ ସ୍ୱାମୀ

ମେରୁଦଣ୍ଡହୀନ ଚେଲାଙ୍କୁ ମନ୍ତ୍ରୀ ନିଯୁକ୍ତ କରିବାରେ ନରେନ୍ଦ୍ର ମୋଦି ବିଶ୍ୱପ୍ରସିଦ୍ଧ ବୋଲି ସେ ଲେଖିଛନ୍ତି।

ଓଏଲ୍‌ ବ୍ୟୁରୋ: ଗତ ଶୁକ୍ରବାର ବାହାନଗାରେ ଘଟିଥିବା ଛାତିଥରା ରେଳ ଦୁର୍ଘଟଣା ଖବର ସାରା ବିଶ୍ୱବାସୀଙ୍କୁ ମର୍ମାହତ କରିଥିଲା। ରେଳ ଦୁର୍ଘଟଣା ପରେ ଅନେକ ଯାତ୍ରୀ ନିଜର ଜୀବନ ହରାଇଥିବାବେଳେ ଅନେକ ଗୁରୁତର ଭାବେ ଆହତ ହୋଇ ମେଡିକାଲ ବେଡ଼ରେ ନିଜ ଜୀବନ ସହ ସଂଘର୍ଷ କରୁଛନ୍ତି। ବାଲେଶ୍ୱରରେ କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହେବା ପରେ ନିଜର ଟ୍ୱିଟ ମାଧ୍ୟମରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କଲେ ବିଜେପି ନେତା।

ଟ୍ରେନ ଦୁର୍ଘଟଣା ହେବା ପରେ ଟୁଇଟ୍ କରି ସୁବ୍ରମନ୍ୟନ୍ ସ୍ୱାମୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନୁମତି ଯାଏଁ ଅପେକ୍ଷା ନକରି ରେଳମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା ଉଚିତ। ଅଯୋଗ୍ୟ ଓ ମେରୁଦଣ୍ଡହୀନ ଚେଲାଙ୍କୁ ମନ୍ତ୍ରୀ ନିଯୁକ୍ତ କରିବାରେ ନରେନ୍ଦ୍ର ମୋଦି ବିଶ୍ୱପ୍ରସିଦ୍ଧ ବୋଲି ସେ ଲେଖିଛନ୍ତି।

https://twitter.com/swamy39/status/1665151159336857600?s=46&t=BzDDeqrYC7ywCZHA3phf4Q

ଅଯୋଗ୍ୟ କିନ୍ତୁ ଅନୁଗତ ନେତାଙ୍କୁ ମୁଖ୍ୟ କରିବାର ଅନ୍ୟତମ ଉଦାହରଣ ମଣିପୁର ବୋଲି ସ୍ୱାମୀ ଅଭିଯୋଗ କରିଛନ୍ତି। ଓଡ଼ିଶା ରେଳ ଦୁର୍ଘଟଣା ବାବଦରେ ସେ କହିଛନ୍ତି ଯେ ଧୀର ଟ୍ରେନ୍ ପାଇଁ ଉଦ୍ଦିଷ୍ଟ ଧାରଣାରେ ଦ୍ରୁତଗାମୀ ଟ୍ରେନ୍ ଯିବାଲାଗି ଅନୁମତି ଦିଆଯାଇଛି। କେବଳ ସେତିକି ନୁହେଁ ବରଂ କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାକୁ ସେ ବିପର୍ଯ୍ୟୟ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ପ୍ରାୟ ୭ଟା ୧୫ ମିନିଟ୍‌ ସମୟରେ ବାହାନଗା ଷ୍ଟେସନ ନିକଟ ଦେଇ ହାୱଡାରୁ ଚେନ୍ନାଇ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ୍ ପାସ୍‌ କରୁଥିବା ବେଳେ କୌଣସି କାରଣରୁ ଏହା ଲାଇନ୍‌ ଚ୍ୟୁତ୍‌ ହୋଇ ପାଖରେ ଅନ୍ୟ ଲାଇନ୍‌ରେ ଠିଆ ହୋଇଥିବା ଦୁଇଟି ମାଲଗାଡ଼ି ସହ ଧକ୍କା ହୋଇଥିଲା।

ଠିକ୍‌ ଏହି ସମୟରେ ଅନ୍ୟ ଏକ ଲାଇନ୍‌ ଦେଇ ଯଶବନ୍ତପୁର-ହାୱାଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍‌ର ଦ୍ରୁତଗତିରେ ପାସ୍ କରୁଥିଲା। ଏହି ଟ୍ରେନ୍‌ ଲାଇନ୍‌ ଉପରେ ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସ୍‌ର ବଗି ପଡ଼ିବାରୁ ଯଶବନ୍ତପୁର-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ୍ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିଲା।

Leave A Reply

Your email address will not be published.