Odisha Link
Bridging the Missing Links in Odisha

୨୪ ପାଇଁ ଚିନ୍ତା: ଓଡ଼ିଶା ଲିଙ୍କ୍‌ର ସ୍ବତନ୍ତ୍ର ଉପସ୍ଥାପନା

ଖବର ପୋର୍ଟାଲ "ଓଡ଼ିଶା ଲିଙ୍କ୍"ରେ ଏକ ସ୍ବତନ୍ତ୍ର ବିଭାଗ ନିର୍ବାଚନ ୨୦୨୪

ନିର୍ବାଚନ ପାଖେଇ ଆସିଲେ ରାଜନୈତିକ ଦଳମାନଙ୍କ ମଧ୍ୟରେ ତତ୍ପରତା ବୃଦ୍ଧିପାଏ; ଏହା ସହ ସାଧାରଣ ଜନତା, ବୁଦ୍ଧିଜୀବୀ, ସାମ୍ବାଦିକ ଓ ସମାଜର ବିଭିନ୍ନ ବର୍ଗର ମଣିଷଙ୍କ ଭିତରେ ଏକ ଉତ୍ସାହ ବାରି ହୋଇପଡ଼େ। ଚା’ ଖଟିଠାରୁ ଆରମ୍ଭ କରି ଗାଁ ଚାନ୍ଦିନୀ ଯାଏଁ, ସାମାଜିକ ଗଣମାଧ୍ୟମରୁ ଆରମ୍ଭ କରି ସାମୂହିକ ସଭାସମିତି ଯାଏଁ ସବୁଠି ଆରମ୍ଭ ହୋଇଯାଏ ଚିନ୍ତା ଆଉ ଚର୍ଚା। ନିର୍ବାଚନକୁ ନେଇ ସମସ୍ତେ ପାଲଟିଯାଆନ୍ତି ଜଣେଜଣେ ପ୍ରବୀଣ। କିଏ ଜିତିବ କିଏ ହାରିବ, କାହାର ଟିକେଟ୍‌ ରହୁଛି ଆଉ କାହାର କଟୁଛି, ଦଳ ମୁଖିଆ କାହା ଉପରେ ସନ୍ତୁଷ୍ଟ ଆଉ କାହା ଉପରେ ଅସନ୍ତୁଷ୍ଟ, କିଏ ଷଡ଼ଯନ୍ତ୍ର ରଚୁଛି କିଏ ଦଳ ପାଇଁ ସମ୍ପଦ ପାଲଟିଛି, କିଏ ଦଳକୁ ଦୃଢ଼ କରୁଛି କିଏ ପୁଣି ଦଳ ବଦଳାଉଛି, କାହାର ପଲା ଭାରି ଆଉ କାହାକୁ ନେଇ ଜନତା କ୍ଷୁବ୍ଧ, ରାଜନୈତିକ ଦଳ ଭିତରେ କି କି ପ୍ରକାର ଚିନ୍ତନ ଆଉ ମନ୍ଥନ ଚାଲିଛି; ଏ ସବୁ କଥାକୁ ନେଇ ସାଧାରଣରେ ଚର୍ଚା ହଠାତ ବଢ଼ିଯାଏ। ଅବଶ୍ୟ ଏସବୁ ଚର୍ଚାରୁ ଅଧିକାଂଶ ଅନୁମାନ, ଉଡ଼ା ଖବର ଆଉ ସାମାଜିକ ଗଣମାଧ୍ୟମରୁ ଆହରିତ ଜ୍ଞାନ ଉପରେ ପର୍ଯ୍ୟବସିତ। ତେବେ ତା’ ଭିତରେ ବି ଥାଏ ଖବରର ମଞ୍ଜ। ଟିକିଏ ଗବେଷଣା ଆଉ ପରଖ ମାଧ୍ୟମରେ ମିଳିଯାଏ କିଛି ନିଦା ଆଉ ନିରାଟ ଖବର।

୨୦୨୪ରେ ଦେଶରେ ସାଧାରଣ ନିର୍ବାଚନ ହେବା ନେଇ ଏବେ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା। ଓଡ଼ିଶାରେ ଆଗୁଆ ନିର୍ବାଚନ ହେବ ବୋଲି କେହିକେହି କଳନା କରୁଛନ୍ତି, ଏପରିକି କେନ୍ଦ୍ର ସରକାର ମଧ୍ୟ ଆଗୁଆ ନିର୍ବାଚନ କରିବା ନେଇ ଖବର ଆସୁଛି। ତେବେ ଏସବୁ ଖବରର କୌଣସି ତଥ୍ୟଗତ ଭିତ୍ତି ନାହିଁ। ଏହା ଅନୁମାନ ମାତ୍ର। ଯଦି ଉଚିତ ସମୟରେ ନିର୍ବାଚନ ହୁଏ, ତେବେ ଓଡ଼ିଶାରେ ଉଭୟ ସାଂସଦ ଓ ବିଧାୟକ ନିର୍ବାଚନ ଏକତ୍ର ମାର୍ଚରୁ ମେ’ ମାସ ମଧ୍ୟରେ ହେବାର ସମ୍ଭାବନା ରହିଛି।

ଉପରୋକ୍ତ ସମୟକୁ ବିଚାରକୁ ନେଲେ ଆଉ ମାତ୍ର ୮-୯ ମାସ ମଧ୍ୟରେ ନିର୍ବାଚନ ଘୋଷଣା କରିପାରନ୍ତି ନିର୍ବାଚନ ଆୟୁକ୍ତ। ଏହାକୁ ଦୃଷ୍ଟିରେ ରଖି ଶାସନରେ ଥିବା ଦଳମାନେ ଲୋକାଭିମୁଖୀ ହେବାର ପ୍ରୟାସକୁ କ୍ଷୀପ୍ର କରିଛନ୍ତି। ଅନ୍ୟପଟେ ବିରୋଧୀ ଆସନରେ ବସିଥିବା ଦଳଗୁଡ଼ିକ ଶାସନର ବିଫଳତାକୁ ସାମନାକୁ ଆଣିବା ସହ ନିଜର ପାରିବାପଣିଆର ପ୍ରମାଣ ଦେବା ଆମରଭ କରିଦେଲେଣି। ଗଣମାଧ୍ୟମରେ ବି ଆରମ୍ଭ ହୋଇଗଲାଣି ଅବଗଣନା।

ଏସବୁକୁ ଦୃଷ୍ଟିରେ ରଖି ଆମେ ଆମ ଖବର ପୋର୍ଟାଲ “ଓଡ଼ିଶା ଲିଙ୍କ୍”ରେ ଏକ ସ୍ବତନ୍ତ୍ର ବିଭାଗ ନିର୍ବାଚନ ୨୦୨୪ ଆରମ୍ଭ କରୁଛୁ। ଏଥିରେ ଆମେ କେବଳ ନିର୍ବାଚନ ଓ ଏଥିସହ ସମ୍ପର୍କିତ ଖବର ପ୍ରସାରଣ କରିବୁ। ଖବର କଲାବେଳେ ଏହା ପଛର ସତ୍ୟତା ଓ ସମ୍ଭାବନାର ସର୍ବାଧିକ ଦିଗକୁ ଆମେ ଅବଶ୍ୟ ଅନୁଶୀଳନ କରିବୁ।

ଶୁଭ୍ରାଂଶୁ ପଣ୍ଡା
ସଂପାଦକ – ଓଡ଼ିଶା ଲିଙ୍କ୍

Leave A Reply

Your email address will not be published.