Odisha Link
Bridging the Missing Links in Odisha

ଲେଖକ ଯୁଗଳ କିଶୋର ଷଡଙ୍ଗୀ ପାଇବେ କେନ୍ଦ୍ର ସାହିତ୍ୟ ଅକାଦେମି ବାଲ ସାହିତ୍ୟ ପୁରସ୍କାର

ଓଏଲ୍‌ ବ୍ୟୁରୋ: ଆଜି କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ୨୦୨୩ ବର୍ଷ ପାଇଁ ବାଲ୍‌ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି। ଚଳିତଥର ୨୨ଟି ଭାଷାରେ ପ୍ରକାଶିତ ଶିଶୁସାହିତ୍ୟ ସମ୍ବଳିକ ପୁସ୍ତକ ପାଇଁ ପୁରସ୍କାର ଘୋଷଣା କରାଯାଇଛି। ଓଡିଆ କ୍ଷୁଦ୍ର ଗଳ୍ପ ‘ଜେଜେଙ୍କ ଗପ ଗଣ୍ଠିଲି’କୁ ସାହିତ୍ୟ ଅକାଦେମି ବାଲ୍ ସାହିତ୍ୟ ପୁରସ୍କାର। ଚଳିତ ବର୍ଷ ଓଡିଆ ଭାଷାରେ ବିଶିଷ୍ଟ ଶିଶୁ ସାହିତ୍ୟିକ ଯୁଗଳ କିଶୋର ଷଡଙ୍ଗୀଙ୍କୁ ସାହିତ୍ୟ ଏକାଡେମୀ ବାଲ୍ ସାହିତ୍ୟ ପୁରସ୍କାର ମିଳିଛି। ଲେଖକ ଯୁଗଳ କିଶୋର ଷଡ଼ଙ୍ଗୀଙ୍କୁ ପୁରସ୍କାର ବାବଦକୁ ଏକ ତାମ୍ରଫଳକ ସାଙ୍ଗକୁ ୫୦ ହଜାର ଟଙ୍କାର ଅର୍ଥରାଶି ଦିଆଯିବ।

ସାହିତ୍ୟ ଅକାଦେମି ଚଳିତ ବର୍ଷ ଯୁବ ପୁରସ୍କାର ଓ ବାଲ୍ ସାହିତ୍ୟ ପୁରସ୍କାର ଘୋଷଣା କରିଛି। ଯେଉଁଥିରେ ବାଲ୍ ସାହିତ୍ୟ ବର୍ଗରେ ଓଡିଶାର ଯୁଗଳ କିଶୋର ଷଡଙ୍ଗୀ ସ୍ଥାନ ପାଇଛନ୍ତି। ସାହିତ୍ୟ ଅକାଦେମିର ଅଧ୍ୟକ୍ଷ ମାଧବ କୌଶିକଙ୍କ ଅଧ୍ୟକ୍ଷତାରେ ଅକାଦେମିର କାର୍ଯ୍ୟକାରୀ ମଣ୍ଡଳ ଆଜି ଯୁବ ପୁରସ୍କାର ଓ ବାଲ ସାହିତ୍ୟ ପୁରସ୍କାର ଘୋଷଣା କରିଥିଲେ । ଯେଉଁଥିରେ ୨୦ ଜଣ ଯୁବକ ଓ ୨୨ ବାଲ୍ ସାହିତ୍ୟିକଙ୍କୁ ସାହିତ୍ୟ ଅକାଦେମି ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା।

ଚଳିତବର୍ଷ ଓଡ଼ିଆ ସମେତ ହିନ୍ଦୀ, ବଙ୍ଗଳା, ଅସମୀୟା, ଇଂରାଜୀ, ଗୁଜୁରାଟୀ, କନ୍ନଡ଼, କୋଙ୍କଣୀ, ମୈଥିଳି, ମାଲାୟାଲାମ, ମରାଠୀ, ନେପାଳୀ, ପଂଜାବୀ, ରାଜସ୍ଥାନୀ, ସଂସ୍କୃତ, ସାନ୍ତାଳୀ, ତାମିଲ, ତେଲୁଗୁ, ଉର୍ଦ୍ଦୁ, ବୋଡୋ, ଡୋଗ୍ରୀ ଭଳି ଭାଷାରେ ଲିଖିତ ପୁସ୍ତକ ପାଇଁ ପୁରସ୍କାର ଘୋଷଣା କରାଯାଇଛି।

ସୂଚନାଥାଉକି, ୨୦୨୨ରେ ନରେନ୍ଦ୍ର ପ୍ରସାଦ ଦାସ, ୨୦୨୧ରେ ଦିଗରାଜ ବ୍ରହ୍ମା, ୨୦୨୦ରେ ରାମଚନ୍ଦ୍ର ନାୟକ, ୨୦୧୯ରେ ବୀରେନ୍ଦ୍ର କୁମାର ସାମନ୍ତରାୟ, ୨୦୧୮ରେ ବୀରେନ୍ଦ୍ର ମହାନ୍ତି ପ୍ରମୁଖ ଓଡ଼ିଆ ଶିଶୁ ସାହିତ୍ୟିକଙ୍କୁ ବାଲ୍ ସାହିତ୍ୟ ପୁରସ୍କାର ପ୍ରଦାନ କରାଯାଇଛି।