ଚକ୍ରାନ୍ତ ପଣ୍ଡ, ପୁଲିସ ଦ୍ୱାରା ୫ ସନ୍ଦିଗ୍ଧ ନାଗା ବାବା ଅଟକ
ବାବା ବେଶ ହୋଇ ଏମାନେ ଲୁଟ୍ କରୁଥିବା ପୁଲିସର ସନ୍ଦେହ।

ଓଏଲ୍ ବ୍ୟୁରୋ: ନାଗା ବାବାଙ୍କ ପ୍ରତି ଆମ ଲୋକମାନଙ୍କ ଭିତରେ ସ୍ୱତନ୍ତ୍ର ଭକ୍ତି ଭାବନା ରହିଛି। ନାଗା ବାବାମାନଙ୍କୁ ଆମ ଲୋକମାନେ ଲୋଭ, ମୋହ ମାୟର ଉଦ୍ଧ୍ୱର୍ରେ ବୋଲି ଭାବିଥାନ୍ତି। କିନ୍ତୁ ଭୁବନେଶ୍ୱର ରଘୁନାଥପୁର ଅଞ୍ଚଳରୁ ସାଂଘାତିକ ଅଭିଯୋଗ ହୋଇଛି। ତେବେ ଏନେଇ ତଦନ୍ତ ପରେ ଭୁବନେଶ୍ବର ମଞ୍ଚେଶ୍ୱର ପୁଲିସ ଦ୍ୱାରା ୫ ସନ୍ଦିଗ୍ଧ ନାବା ବାବା ଅଟକ। ମଞ୍ଚେଶ୍ବର ଅଞ୍ଚଳରେ ବୁଲୁଥିବା ବେଳେ ଉଠାଇ ନେଲା ପୁଲିସ୍। ବାବା ବେଶ ହୋଇ ଏମାନେ ଲୁଟ୍ କରୁଥିବା ପୁଲିସର ସନ୍ଦେହ। ୫ ନାଗା ବାବାଙ୍କ ଠାରୁ ଏକ ବୋଲେରୋ ଗାଡ଼ି ମଧ୍ୟ ଜବତ।
ଖବର ଅନୁସାରେ, ଭିକ୍ଷୁକ ବେଶରେ ଆସିଥିବା ଓ ନିଜକୁ ନାଗା ବାବା ବୋଲି କହୁଥିବା ଠକ ରଘୁନାଥପୁରର ଜଣଙ୍କ ଘରୁ ସୁନା ରୂପା ଲୁଟି ନେଇଥିବା ଜଣା ପଡିଛି। ମନ୍ତ୍ର, ଝାଞ୍ଜ କୀର୍ତନରେ କମ୍ପି ଉଠୁଥିଲା ମାଉସୀ ମା ମନ୍ଦିର। ଜଗନ୍ନାଥଙ୍କ ଆଗରେ ଧାଡି ହୋଇ ବସି ରହିଥିଲେ ନାଗା ସାଧୁମାନେ। ହାତରେ ଖଞ୍ଜଣି, ଶଙ୍ଖ, ବାଜା ଧରି କୀର୍ତନ କରୁଥିବାବେଳ ଜଟାଧାରି ବାବା ଜଣଙ୍କ ମାଇକରେ ମନ୍ତ୍ର ଉଚ୍ଚାରଣ କରୁଥିଲେ। ଯାହାକୁ ନେଇ ମନ୍ଦିର ପ୍ରାଙ୍ଗଣ ହୋଇଉଠିଥିଲା ଭକ୍ତିମୟ।
ଦେହରେ ବିଭୂତି ବୋଳି, ମୁଣ୍ଡରେ ଠେକା ବାନ୍ଧି ଓ ଦେହରେ କୌପନୀ ପିନ୍ଧିଥିବା ଏହି ବ୍ୟକ୍ତି ନିଜକୁ କୈଳାସରୁ ଆସିଥିବା ଅଘୋରୀର ପରିଚୟ ଦେଇଥିଲେ। ଯାହାକୁ ଦେଖିବା ପାଇଁ ଭୁବନେଶ୍ୱର ଉପକଣ୍ଠ ରଘୁନାଥପୁର ଅଞ୍ଚଳରେ ଲାଗିଥିଲା ଶ୍ରଦ୍ଧାଳୁଙ୍କ ଭିଡ। ଚାରିଆଡେ ପ୍ରଚାର ହେଲା ବାବା ସମସ୍ତଙ୍କ ଭାଗ୍ୟ ପରିବର୍ତନ କରିଦେବେ। ଆଉ ବାବା ଯାହା ଘରେ ପାଦ ରଖି ମନ୍ତ୍ର ଉଚ୍ଚାରଣ କରିବେ ତାଙ୍କ ଗ୍ରହ ରିଷ୍ଟ ଖଣ୍ଡନ ହେବ।
ଲୋକଙ୍କୁ ଲୁଟ୍ କରିବା ପାଇଁ ବିଶ୍ୱାସର ଜାଲ ବୁଣି କଳାକନା ବୁଲାଇଥିଲେ ଏହି ନାଗା ବେଶଧାରୀ ଲୁଟେରା। ଏମାନେ ମନ୍ତ୍ର ତନ୍ତ୍ର ପୂଜାପାଠ ନାଁରେ ଲୋକଙ୍କୁ ଭୂଆଁ ବୁଲାଇ ତାଙ୍କ ଘର ଭିତରେ ପସି ରେକି କରୁଥିଲେ। ଆଖିରେ ଆଙ୍ଗୁଠି ଗେଂଜି ମିଛରେ ରୁଦ୍ରାକ୍ଷ ଦେଇ ସୁଯୋଗକୁ ଅପେକ୍ଷା କରୁଥିଲେ ଆଉ ସମୟଦେଖି ସବୁକିଛି ଲୁଟି ଫେରାର ହେଇଯାଉଥିଲେ। ତେବେ ରଘୁନାଥପୁର ନିବାସୀ ପ୍ରାଣକୃଷ୍ଣଙ୍କୁ ନିଜ ମାୟାଜାଲରେ ଫସାଇ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ଚମ୍ପଟ ମାରିଛନ୍ତି ୬ ନାଗାବାବା।