Odisha Link
Bridging the Missing Links in Odisha

ପୁରୀରେ ଅଘଟଣ: ଛିଡ଼ିଲା ତାଳଧ୍ୱଜ ରଥର ଦଉଡ଼ି, ଜଣେ ଭୋଇ ସେବାୟତ ଆହତ

ହୁଳହୁଳି ହରିବୋଲରେ କମ୍ପୁଛି ସାରା ପରିବେଶ

ଓଏଲ୍‌ ବ୍ୟୁରୋ: ଜନ୍ମବେଦୀରୁ ରତ୍ନବେଦୀକୁ ଫେରୁଛନ୍ତି ତିନି ଦିଅଁ। ବାହୁଡା ଯାତ୍ରା ପାଇଁ ଆରମ୍ଭ ହୋଇଛି ନୀତିକାନ୍ତି। ନବଦିନାତ୍ମକ ଯାତ୍ରା ସାରି ଫେରୁଛନ୍ତି ଶ୍ରୀଜିଉ। ଆଜି ଏଥିପାଇଁ ମହାବାହୁଙ୍କ ବାହୁଡ଼ା ଯାତ। ଭକ୍ତାରଣ୍ୟ ଶରଧାବାଲି। ହୁଳହୁଳି ହରିବୋଲରେ କମ୍ପୁଛି ସାରା ପରିବେଶ। ପୁରୀ ବାହୁଡ଼ା ଯାତ୍ରାରେ ଘଟିଥିବା ଏକ ଅଘଟଣ ଖବର ସାମ୍ନାକୁ ଆସିଛି।

ରଥ ଟାଣିବା ବେଳେ ଭକ୍ତଙ୍କ ମଧ୍ୟରେ ଠେଲାପେଲା କାରଣରୁ ପୁଲିସ କର୍ମଚାରୀଙ୍କ ସମେତ ୬ ଜଣ ଆହତ ହୋଇଥିବା ସୂଚନା। ଏହା ସହ ତାଳଧ୍ୱଜ ରଥର ଦଉଡ଼ି ଛିଡ଼ି ଜଣେ ଭୋଇ ସେବାୟତ ସମେତ ୬ ଜଣ ଆହତ। ସମସ୍ତ ଆହତ ପୁରୀ ମେଡିକାଲରେ ଭର୍ତ୍ତି। ମାର୍କେଟ ଛକ ନିକଟରେ ତାଳଧ୍ବଜ ଦଉଡ଼ି ଛିଡ଼ିବାରୁ ଅଘଟଣ।

ଖବର ଅନୁସାରେ, ଜନ୍ମବେଦୀରୁ ରତ୍ନ ସିଂହାସନକୁ ଫେରୁଛନ୍ତି ତିନି ଭାଇ ଭଉଣୀ। ବଡଦାଣ୍ଡରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି। ଚଳିତବର୍ଷ ସଅଳ ସଅଳ ଚାଲିଛି ସମସ୍ତ ନୀତିକାନ୍ତି। ନିର୍ଦ୍ଧାରିତ ସମୟର ପ୍ରାୟ ୩ ଘଣ୍ଟା ଆଗରୁ ରଥଟଣା ଆରମ୍ଭ। ବଡ଼ଦାଣ୍ଡରେ ଗଡ଼ିଲା ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ। ପରେ ପରେ ଗଡ଼ିଲା ଆଉ ଦୁଇ ରଥ।

ରଥଯାତ୍ରା ସମୟରେ ନୀତିରେ ହୋଇଥିବା ବିଭ୍ରାଟକୁ ସୁଧାରି ସଅଳ ନୀତିକାନ୍ତି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନିଆଯାଇଛି। ମଧ୍ୟାହ୍ନ ୧୨ଟାରେ ପହଣ୍ଡି ଆରମ୍ଭ ଲକ୍ଷ୍ୟ ରଖା ଯାଇଥିବା ବେଳେ ସକାଳ ୮ଟାରୁ ପହଣ୍ଡି ଆରମ୍ଭ ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନର ନୀତିନିର୍ଘଣ୍ଟ ଅନୁସାରେ ଭୋର ୪ଟାରୁ ନୀତିକାନ୍ତି ଆରମ୍ଭ ହୋଇଯାଇଥିଲା।

ଗୁଣ୍ଡିଚା ଯାତ୍ରା ଭଳି ବାହୁଡ଼ାରେ ବି ଧାଡ଼ି ପହଣ୍ଡିରେ ଠାକୁରମାନେ ରଥାରୁଢ଼ ହୋଇଛନ୍ତି। ବାହୁଡ଼ାଯାତ୍ରାରେ ଶୃଙ୍ଖଳିତ ନୀତିକାନ୍ତିକୁ ଶ୍ରୀମନ୍ଦିର ପ୍ରଶାସନ ଅଧିକ ଗୁରୁତ୍ୱ ଦେଇଛି। ସେହିପରି ଭକ୍ତଙ୍କ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା ଉପରେ ପୁଲିସ୍ ପ୍ରଶାସନ ଗୁରୁତ୍ୱ ଦେଇଛି।

Leave A Reply

Your email address will not be published.