Odisha Link
Bridging the Missing Links in Odisha

ଜଷ୍ଟିସ୍‌ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

ଓଏଲ୍‌ ବ୍ୟୁରୋ: ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍‌ ଶୁଭାଶିଷ ତାଳପତ୍ର। ଜଷ୍ଟିସ୍‌ ତାଳପତ୍ର ଏବେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଅଛନ୍ତି। ସୁପ୍ରିମକୋର୍ଟ କଲେଜିୟମ୍‌ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ପାଇଁ ଜଷ୍ଟିସ୍‌ ଶୁଭାଶିଷ ତାଳପତ୍ରଙ୍କ ନାଁ ସୁପାରସି କରିଛନ୍ତି।

ସୂଚନାଯୋଗ୍ୟ, ବର୍ତ୍ତମାନର ମୁଖ୍ୟ ବିଚାରପତି ଏସ୍‌ ମୁରଲୀଧର ୨୦୨୧ ଜାନୁଆରି ୪ ତାରିଖରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ ଓ ସେ ଅଗଷ୍ଟ ମାସରେ ଅବସର ନେବେ। ତା’ ପରେ ଖାଲି ପଡ଼ିବାକୁ ଥିବା ମୁଖ୍ୟ ବିଚାରପତି ପଦ ପାଇଁ ସୁପ୍ରିମକୋର୍ଟ ଜଷ୍ଟିସ ତାଳପତ୍ରଙ୍କ ନାମକୁ ଅନୁମୋଦନ ଦେଇଛନ୍ତି।

ଜଷ୍ଟିସ ଶୁଭାଶିଷ ତାଳପତ୍ର ୧୯୬୧, ଅକ୍ଟୋବର ୪ରେ ତ୍ରିପୁରାର ଉଦୟପୁରଠାରେ ଜନ୍ମଗ୍ରହଣ କରିଥିଲେ। ସେ କଲିକତା ବିଶ୍ବବିଦ୍ୟାଳୟରୁ ଆଇନ୍‌ରେ ସ୍ନାତକ ହୋଇଥିଲେ। ସେ ବିଭିନ୍ନ ସମୟରେ ଆସାମ, ନାଗାଲାଣ୍ଡ, ମେଘାଳୟ, ମଣିପୁର, ତ୍ରିପୁରା, ମିଜୋରାମ ଓ ଅରୁଣାଚଳ ପ୍ରଦେଶ ବାର କାଉନସିଲର ସଦସ୍ୟ ଥିଲେ।

୨୦୧୧, ନଭେମ୍ବର ୧୫ରେ ସେ ଗୌହାଟୀ ହାଇକୋର୍ଟର ବିଚାରପତି ଭାବେ ଶପଥଗ୍ରହଣ କରିଥିଲେ। ୨୦୧୩ ସେପ୍ଟେମ୍ବର ୧୩ରେ ସେ ତ୍ରିପୁରା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ୨୦୧୮, ନଭେମ୍ବର ୨ରୁ ୧୩ ତାରିଖ ଓ ୨୦୧୯, ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସେ ତ୍ରିପୁରା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।

Leave A Reply

Your email address will not be published.