Odisha Link
Bridging the Missing Links in Odisha

ନବ ଦାସ ହତ୍ୟାକାଣ୍ଡ ଗୋପାଳରୁ ଆରମ୍ଭ ଗୋପାଳରେ ଶେଷ: ସୁରେଶ ପୂଜାରୀ

ଓଏଲ୍‌ ବ୍ୟୁରୋ: ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲା ପ୍ରସଙ୍ଗକୁ ନେଇ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଟାର୍ଗେଟ। ବିଜେଡିର ଟାଣୁଆ ନେତା ଭାବେ ପରିଚିତ ନବ କିଶୋର ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଚାର୍ଜସିଟ୍‌କୁ ରଦି କାଗଜ କହିଲେ ସାଂସଦ ସୁରେଶ ପୂଜାରୀ। ନବ ଦାସଙ୍କ ହତ୍ୟାକାରୀ ଅଭିଯୁକ୍ତ ଗୋପାଳ ଦାସକୁ ଗୁରୁବାର ତଳ କୋର୍ଟରେ ହାଜର କରାଯାଇଥିଲା। ନବ ଦାସ ହତ୍ୟା ମାମଲାରେ ୫୦୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରିଛି ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ। ଏହି ମାମଲାରେ ୧୦୦ ଜଣ ସାକ୍ଷୀ ରହିଥିବା ବେଳେ ୯୦ଟି ଡକ୍ୟୁମେଣ୍ଟ ଚାର୍ଜସିଟରେ ଦାଖଲ କରାଯାଇଛି। ଏହି ପ୍ରସଙ୍ଗରେ ସୁରେଶ ପୂଜାରୀ ଦେଇଛନ୍ତି ବିସ୍ଫୋରକ ବୟାନ।

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପୂଜାରୀ କହିଛନ୍ତି, ନବ ଦାସ ହତ୍ୟା ମାମଲାର ତଦନ୍ତ ଗୋପାଳ ଦାସଠାରୁ ଆରମ୍ଭ ହୋଇ ଗୋପାଳ ପାଖରେ ଶେଷ ହୋଇଛି। ତଦନ୍ତ ଆରମ୍ଭରୁ ବାଟବଣା ହୋଇଛି। ଆଜି ପର୍ଯ୍ୟନ୍ତ ହତ୍ୟାର ଉଦ୍ଦେଶ୍ୟ ଜଣାପଡୁନି। ହତ୍ୟା କାଣ୍ଡ ସଂପର୍କରେ ଯାହା କୁହାଯାଇଛି ତାହା ପର୍ଯ୍ୟାପ୍ତ ନୁହେଁ ବୋଲି ଶ୍ରୀ ପୂଜାରୀ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଚାର୍ଜସିଟ୍‌ ତଥ୍ୟ ଅନୁସାରେ ଗାଡ଼ି ପାର୍କିଂକୁ ନେଇ ନବ ଦାସ ସମର୍ଥକଙ୍କ ସହ ଗୋପାଳନ ଦାସର ପାଟିତୁଣ୍ଡ ହୋଇଥିଲା। ଏହା କିନ୍ତୁ ପର୍ଯ୍ୟାପ୍ତ ନୁହେଁ। କେବେ ସେହି ଘଟଣା ଘଟିଥିଲା ସେ ନେଇ କିଛି ଉଲ୍ଲେଖ ନାହିଁ। କେବେ ଛୋଟ ବଚସାକୁ ନେଇ ହତ୍ୟାକାଣ୍ଡ ହୁଏ କି? ହତ୍ୟାକାଣ୍ଡର ସତ୍ୟାସତ୍ୟ ଜାଣିବା ପାଇଁ ଗୋପାଳ ଓ ନବଙ୍କ ମୋବାଇଲ୍‌ ଟ୍ରାକ୍‌ କରାଯାଇଥିଲା କି? କଲ୍ ରେକର୍ଡକୁ ତଦନ୍ତ ପରିସରଭୁକ୍ତ କରାଯାଇଥିଲା କି? ନବଙ୍କୁ ଭେଦ କରିଥିବା ଗୁଳି ଏ ଯାଏଁ ମିଳିନି। ଏଥିରୁ ଜଣାପଡ଼ୁଛି ତଥ୍ୟ ସଂଗ୍ରହରେ କ୍ରାଇମବ୍ରାଞ୍ଚ ବିଫଳ ହୋଇଛି।

ସୂଚନାଥାଉକି, ୨୦୨୩ ମସିହା ଜାନୁଆରୀ ୨୯ ତାରିଖରେ ନବ କିଶୋର ଦାସ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବ୍ରଜରାଜନଗର ଯାଉଥିଲେ। ତେବେ ରାସ୍ତାରେ କର୍ମୀମାନେ ତାଙ୍କୁ ଅଟକାଇ ସ୍ୱାଗତ କରିଥିଲେ। ଠିକ୍‌ ସେହି ସମୟରେ ସୁରକ୍ଷା ଦାୟିତ୍ୱରେ ଥିବା ଗୋପାଳ ଦାସ ନିଜ ସର୍ଭିସ୍‌ ରିଭଲଭର୍ରରେ ସମସ୍ତଙ୍କ ସମ୍ମୁଖରେ ନବ ଦାସଙ୍କୁ ଗୁଳି କରିଥିଲା। ଆଉ ନବ ଦାସଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.