Odisha Link
Bridging the Missing Links in Odisha

ବାଚସ୍ପତିଙ୍କ ପୋଡିୟମକୁ ଡ଼ାଲି ଫୋପାଡିବା ଘଟଣା: ତୀବ୍ର ନିନ୍ଦା କଲା ବିଜେଡି

ଓଏଲ୍‌ ବ୍ୟୁରୋ: ବିଧାନସଭାର ମୌସୁମୀ ଅଧିବେଶନକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ଗୁରୁବାର ବିଧାନସଭାରେ ଦେଖିବାକୁ ମିଳିଥିଲା ଅଭାବନୀୟ ଚିତ୍ର। ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫୋପାଡି ବିଧାନସଭାର ବାକି ଅଧିବେଶନରୁ ସସପେଣ୍ଡ ହୋଇଛନ୍ତି ବିଜେପି ବିଧାୟକ ମୋହନ ମାଝି ଓ ମୁକେଶ ମହାଲିଙ୍। ଏହା ପୂର୍ବରୁ ଶୂନ୍ୟକାଳରେ ବିଜେଡି ବିଧାୟକ ଅରୁଣ ସାହୁ, ବିରୋଧୀ ଦଳ ନେତାଙ୍କୁ ମାନସିକ ସ୍ବାସ୍ଥ୍ୟ ଠିକ୍ ନଥିବା ବୋଲି ଆକ୍ଷେପ କରିଥିଲେ।

ଆଉ ଏହି ଶଦ୍ଦକୁ ଗୃହର ବିବରଣୀରୁ ବାଦ ଦେବାକୁ ଦାବି କରି ଅପରାହ୍ନରେ ଗୃହରେ ହଙ୍ଗାମା କରିଥିଲେ ବିଜେପି ବିଧାୟକମାନେ। କିନ୍ତୁ ବାଚସ୍ପତି ଏହାକୁ ଗ୍ରହଣ ନ କରିବାରୁ ଏହାକୁ ବିରୋଧ କରି ପଲିଥିନରେ ଆଣିଥିବା ଡାଲି ଦେଖାଇଥିଲେ ବିଜେପି ସଦସ୍ୟ ଓ ବାଚସ୍ପତିଙ୍କ ପୋଡିୟମ ଉପରକୁ ଫୋପାଡିଥିଲେ।

ବାଚସ୍ପତିଙ୍କ ପୋଡିୟମ ଉପରକୁ ବିଜେପି ବିଧାୟକଙ୍କ ଡାଲି ପକାଇବା ଘଟଣାକୁ ନେଇ ଶାସକ ଦଳ ଜବାବ ରଖିଛି। ଶାସକ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ବିରୋଧୀ ବିଧାନସଭା ଚଲାଇ ନ ଦେବାକୁ ସଂକଳ୍ପ ନେଇଛନ୍ତି। ବିଧାନସଭା ଆରମ୍ଭ ପରଠାରୁ ବିରୋଧୀ ଦଳର ଭୂମିକାରେ ପରିବର୍ତ୍ତନ ଦେଖିବାକୁ ମିଳୁଛି।

ଗତକାଲି ଯେଉଁ ଘଟଣା ଘଟିଛି ତାହା ବିଧାନସଭା ଇତିହାସରେ କଳଙ୍କିତ ଅଧ୍ୟାୟ ହୋଇ ରହିବ। ବାଚସ୍ପତିଙ୍କ ଆସନ କାହାର ବ୍ୟକ୍ତିଗତ ପଦବୀ ନୁହେଁ ତାହା ଏକ ସାମ୍ବିଧାନିକ ଆସନ। ତେଣୁ ଏହି ଆସନକୁ ସମ୍ମାନ ଜଣାଇବା ପ୍ରତ୍ୟେକ ସଦସ୍ୟଙ୍କ କର୍ତ୍ତବ୍ୟ। ନାରାବାଜି କରିବା ସହ ଗୃହରେ ବିରୋଧୀ ହଟ୍ଟଗୋଳ କରିବାରେ କୌଣସି ବାଧକ ନାହିଁ। କିନ୍ତୁ ବାଚସ୍ପତିଙ୍କ ଚେୟାରକୁ ପ୍ୟାକେଟ ପ୍ୟାକେଟ କରି ଡାଲି ଫୋପାଡ଼ିବା ଏକ ହିଂସ୍ର ଆଚରଣ। ତାକୁ ବିଜେଡ଼ି ନିନ୍ଦା କରୁଥିବା କହିଛନ୍ତି ବୋଲି ପ୍ରଶାନ୍ତ କହିଛନ୍ତି।

ଏହାସହ ପ୍ରଶାନ୍ତ କହିଛନ୍ତି, ବିରୋଧୀ ଦଳ ଭିତରେ ଅହଙ୍କାର ଭରି ରହିଛି। ଏହାଛଡା ମୁଖ୍ୟମନ୍ତ୍ରୀ ଧମକାଉଥିବାର ବିରୋଧୀ ଦଳ ନେତା ଯେଉଁ ଅଭିଯୋଗ ଆଣୁଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ କଥା। ମୁଖ୍ୟମନ୍ତ୍ରୀଙ୍କ ଆଚରଣ ଓ ଉଚ୍ଚାରଣ ସମସ୍ତେ ଭଲ ଭାବେ ଅବଗତ। ମୁଖ୍ୟମନ୍ତ୍ରୀଙ୍କ ସରଳତା ଓ ଶିଷ୍ଟାଚାର ବାବଦରେ ସମସ୍ତେ ଅବଗତ ଅଛନ୍ତି। ତେଣୁ ଏଠି କେହି କାହାକୁ ଧମକେଇବାର ପ୍ରଶ୍ନ ଉଠୁନାହିଁ। ବିଜୁ ଜନତା ଦଳ ଶାସନ କ୍ଷମତାକୁ ଆସିବା ଦିନ ଠାରୁ ସଂଖ୍ୟା ଗରିଷ୍ଠତା ପାଇ ଆସୁଛି। ଆମେ କେବେ ଅହଙ୍କାର ଦେଖାଇ ନାହୁଁ। ଆମେ ଅହଂକାର ଦେଖାଇ ଥିଲେ ଲୋକେ ଆମକୁ ଭୋଟ ଦେଇ ନଥାନ୍ତେ।

ସେପଟେ ସସ୍ପେଣ୍ଡକୁ ନେଇ ଜୟନାରାୟଣ ମିଶ୍ର କହିଥିଲେ, ବାଚସ୍ପତି ପକ୍ଷପାତିତା କରୁଛନ୍ତି। ସେ ଦଳର କର୍ମକତା ଭାବେ କାମ କରୁଛନ୍ତି। ବାଚସ୍ପତି ନିଜେ ସସପେଣ୍ଡ ହେବା କଥା ବୋଲି ବିରୋଧୀ ଦଳ ନେତା କହିଥିଲେ। ମୁଖ୍ୟମନ୍ତ୍ରୀ ଧମକେଇବା ଲାଗି ଚେଷ୍ଟା କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଯିଏ ବିରୋଧ କରିବ ସେ ବିଧାନସଭା ଆସିପାରିବ ନାହିଁ। ଯିଏ ବିରୋଧରେ କୁହନ୍ତି ଗୃହରେ ନ ପୂରାଇବାକୁ ନବୀନ ଚେଷ୍ଟା କରନ୍ତି ବୋଲି ଜୟନାରାୟଣ ମିଶ୍ର କହିଥିଲେ।

Leave A Reply

Your email address will not be published.