Odisha Link
Bridging the Missing Links in Odisha

ଟନେଲ ତଳେ ୪୧ ଜୀବନ; ଉଦ୍ଧାର କାର୍ଯ୍ୟରେ ପୁଣି ବାଧା!

ଓଏଲ୍‌ ବ୍ୟୁରୋ: ଆଶା ଆଉ ଆଶଙ୍କା ମଧ୍ୟରେ ଆଉ ମାତ୍ର କିଛି ସମୟର ଅପେକ୍ଷା। ହଟିବ ଟନେଲର ଅନ୍ଧାର ଆଉ ବଞ୍ଚିବ ୪୧ ଜୀବନ। ଏହା ସହ ୧୨ ଦିନ ପରେ ଆଲୋକ ଦେଖିବେ ଶ୍ରମିକ। ୪୧ ଜୀବନ ବଞ୍ଚାଇବା ପାଇଁ ଉଦ୍ଧାରକାରୀ ଦଳ ଜୋର ଲଗାଇ ଦେଇଛନ୍ତି। ଭୁଶୁଡ଼ି ପଡ଼ିଥିବା ୬୦ ମିଟରରୁ ୪୫ ମିଟର ଟପିଲେଣି ଉଦ୍ଧାରକାରୀ। ଆଉ ୧୨ ମିଟର ଖନନ ବାକି ରହିଛି। ଉଦ୍ଧାର ପାଇଁ ଆହୁରି ୧୨ରୁ ୧୫ ଘଣ୍ଟା ଲାଗି ପାରେ। ଘଟଣାସ୍ଥଳରେ ପହଞ୍ଚିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ। ତେବେ ଲୁହାର ଚଟ୍ଟାଣ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଛି। ଟନେଲର ଉଭୟ ପାର୍ଶ୍ବରୁ ଏବଂ ଉପର ପଟୁ ଡ୍ରିଲ୍ ଚାଲିଛି। ଶେଷ ପର୍ଯ୍ୟାୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ମଙ୍ଗଳବାର ଭିଡିଓ କ୍ୟାମେରାରେ ଶ୍ରମିକଙ୍କ ଛବି ଆସିଥିଲା। ବାହାରକୁ ଆସିବା କେବଳ ବାକି ରହିଛି। ସାଢ଼େ ୪ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଟନେଲର ୨୬୦ ମିଟର ପରେ ୪୧ ଶ୍ରମିକ ଫସି ରହିଛନ୍ତି। ମୁହଁ ଠାରୁ ୨୦୦ ମିଟର ପରେ ଭୁଶୁଡ଼ି ପଡ଼ିଥିଲା ଟନେଲ। ୬୦ ମିଟର ପର୍ଯ୍ୟନ୍ତ ଟନେଲ ପୋତି ହୋଇ ଯାଇଥିଲା। ୪୫ ମିଟର ଖୋଳା ସରିଲାଣି। ଫଶିରହିଥିବା ଶ୍ରମିକଙ୍କଠୁ ଆଉ ୧୨ ମିଟର ଦୂରତା ରହିଛି। ଗତକାଲି ରାତିରେ ଡ୍ରିଲିଂ ମେସିନର ବ୍ଲେଡ ଭାଙ୍ଗିଯବାରୁ ଉଦ୍ଧାର କାମ ବାଧାପ୍ରାପ୍ତ ହୋଇଥିଲା। ପରେ ପୁଣି ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଛି। ତେଣୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଆଉ କିଛି ସମୟ ଲାଗିପାରେ ବୋଲି ସୂଚନା ଆସିଛି।

ଘଟଣାସ୍ଥଳରେ ୪୧ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି ଏବଂ ସ୍ଥାନୀୟ ଡାକ୍ତରଖାନାରେ ୪୧ଟି ବେଡ ମଧ୍ୟ ପ୍ରସ୍ତୁତ କରାଯାଇଛି। ଶ୍ରମିକଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ଗ୍ରୀନ କରିଡର ବ୍ୟବସ୍ଥା କରାଯାଇଛି। ଆବଶ୍ୟକ ପଡିଲେ ଶ୍ରମିକମାନଙ୍କୁ ଏୟାର ଲିଫ୍ଟ କରି ରିଷିକେଶ ଏମ୍ସକୁ ନିଆଯିବ।

Leave A Reply

Your email address will not be published.