Odisha Link
Bridging the Missing Links in Odisha

କାର୍ତ୍ତିକ ପୂର୍ଣ୍ଣିମାରେ ‘କାର୍ତ୍ତିକେୟନ୍‌ଙ୍କ’ ରାଜନୈତିକ ଯାତ୍ରା ଆରମ୍ଭ

ଓଏଲ୍‌ ବ୍ୟୁରୋ:ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଓଡ଼ିଶା ରାଜନୀତିରେ ନୂଆ ଯୁଗ ଆରମ୍ଭ। ଓଡ଼ିଶା ରାଜନୈତକି ଦୃଷ୍ଟିକୋଣରୁ ଦେଖିଲେ ଆଜି ଏକ ଗୁରୁତ୍ବପୂର୍ଣ୍ଣ ଦିନ। କାରଣ ଦଶହରାର ନବମୀ ତିଥିରେ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିବା ଭି.କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌ ଆଜି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିର ନିରାଡମ୍ବର ଭାବେ ବିଜେଡିରେ ଯୋଗ ଦେଇ ପାଣ୍ଡିଆନ୍‌ ତାଙ୍କର ରାଜୈନତିକ ଯାତ୍ରା ଆରମ୍ଭ କରିଛନ୍ତି। ସରକାରୀ ଚାକିରି ଛାଡ଼ିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପାଣ୍ଡିଆନ୍‌ଙ୍କୁ ନବୀନ ଓଡ଼ିଶା ଓ ୫-ଟି ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲେ।

୨୩ ବର୍ଷ ଧରି ଭାରତୀୟ ପ୍ରଶାସନିକ ସେବାରେ କାର୍ଯ୍ୟରତ ଥିଲେ କାର୍ତ୍ତିକ ପାଣ୍ଡିଆନ। ଭି.କେ. ପାଣ୍ଡିଆନ ବିଜେଡିରେ ଯୋଗଦେବା ପୂର୍ବରୁ ଆଜି ସକାଳେ ନବୀନ ନିବାସରେ ବିଜେଡିର ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ମନ୍ତ୍ରୀ ପ୍ରତାପ ଦେବ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସମୀର ଦାଶ, ସଞ୍ଜୟ ଦାସ ବର୍ମା, ପ୍ରସନ୍ନ ଆଚାର୍ୟ୍ୟ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ ସାହୁ, ଅଶୋକ ପଣ୍ଡା,ମାନସ ମଙ୍ଗରାଜ ଓ ବିଜେଡିର ଅନ୍ୟ କେତେକ ବରିଷ୍ଠ ନେତା ଓ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ। ସମସ୍ତଙ୍କ ଉପସ୍ଥିତିରେ ପାଣ୍ଡିଆନ ବିଜେଡିରେ ଯୋଗ ଦେଇଥିଲେ।

୨୦୦୦-୨୦୨୩ ଯାତ୍ରା:
୨୦୦୦ ବ୍ୟାଚ୍‌ର ପଞ୍ଜାବ କ୍ୟାଡ଼ରରେ ଆଇଏଏସ୍‌ ଅଫିସର ଭି କାର୍ତ୍ତିକେୟ ପାଣ୍ଡିଆନ୍‌ ଓଡ଼ିଶା କ୍ୟାଡ଼ରର ସୁଜାତା ରାଉତଙ୍କୁ ବିବାହ କରିବା ପରେ ସେ ନିଜର କ୍ୟାଡ଼ର ପରିବର୍ତ୍ତନ କରି ଓଡ଼ିଶା ଆସିଥିଲେ। ଏଡାପରେ ସେ ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ଆରମ୍ଭ କରିଥିଲେ। ଏହାପରେ ୨୦୦୫ରୁ ୨୦୦୭ ମୟୂରଭଞ୍ଜ ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଥିଲେ । ୨୦୦୭ରୁ ୨୦୧୧ ଗଞ୍ଜାମ ଜିଲ୍ଲାପାଳ ମଧ୍ୟ ଥିଲେ ଭି.କେ ପାଣ୍ଡିଆନ । ଗଞ୍ଜାମ ଜିଲ୍ଲାପାଳ ଭାବେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂସ୍ପର୍ଶରେ ଆସିଥିଲେ ଓ ୨୦୧୧ ମେ’ ମାସରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଯୋଗ ଦେଇଥିଲେ। ସେବେଠୁ ସେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଦାୟିତ୍ୱ ତୁଲାଉଥିଲେ।

ଗତ ଅକ୍ଟୋବର ୨୩ତାରିଖରେ ସର୍ବଭାରତୀୟ ପ୍ରଶାସନିକ ସେବା ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ୨୦୦୦ ମସିହା ବ୍ୟାଚ୍ ଆଇଏଏସ୍ ଭିକେ ପାଣ୍ଡିଆନ ଆଜି ବିଜେଡିରେ ସାମିଲ ହୋଇଥିଲେ ହେଁ ଦଳର ଅନ୍ୟ କୌଣସି ପଦପଦବୀ ଦିଆଯାଇନାହିଁ। ଦଳରେ ସାମିଲ ହେବା ପରେ ଶ୍ରୀ ପାଣ୍ଡିଆନ କହିଛନ୍ତି, ମହାପ୍ରଭୁଙ୍କ ଆର୍ଶୀବାଦ,ମୁଖ୍ୟମନ୍ତ୍ରୀଙ୍କ ମାର୍ଗ ଦର୍ଶନ ଓ ଦଳର ସମସ୍ତଙ୍କ ସହଯୋଗରେ ଓଡ଼ିଶାବାସୀଙ୍କ ପାଇଁ ନିଷ୍ଠା,ନମ୍ରତା ଓ ନିସ୍ବାର୍ଥପର ଭାବେ କାର୍ଯ୍ୟ କରିବି।

Leave A Reply

Your email address will not be published.