Odisha Link
Bridging the Missing Links in Odisha

ବିଧାନସଭା ଫଳାଫଳ: ଛତିଶଗଡ଼ ଓ ତେଲେଙ୍ଗାନାରେ ମ୍ୟାଜିକ ନମ୍ବର ନିକଟତର କଂଗ୍ରେସ, ମଧ୍ୟପ୍ରଦେଶରେ ବିଜେପି

ଓଏଲ୍‌ ବ୍ୟୁରୋ: ୨୦୨୪ ଫାଇନାଲ ନିର୍ବାଚନ ପୂର୍ବରୁ ଆଜି ଆସିବ ସେମିଫାଇନାଲ ଫଳାଫଳ। ଆଜି ଆସିବ ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ଛତିଶଡର ବିଧାନସଭା ନିର୍ବାଚନର ଫଳାଫଳ। ଏଥିପାଇଁ ଆରମ୍ଭ ହୋଇଛି ଭୋଟ ଗଣତି। ସକାଳ ୮ଟାରୁ ଆରମ୍ଭ ହୋଇଛି ଗଣତି।ଏକଜିଟ୍ ପୋଲ୍ ଅନୁସାରେ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପି କ୍ଷମତା ହାସଲ କରିବାର ପୂର୍ବାନୁମାନ କରାଯାଇଥିବା ବେଳେ ଛତିଶଗଡ଼ ଓ ତେଲେଙ୍ଗାନାରେ କଂଗ୍ରେସ ଜିତିପାରେ ବୋଲି କୁହାଯାଉଛି।

ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ଛତିଶଗଡ଼ରେ କଂଗ୍ରେସ ଆଗୁଆ ରହିଛି। ବିଜେପି ୩୪ ସିଟ୍‌ରେ ଆଗୁଆ ଥିବା ବେଳେ କଂଗ୍ରେସ ୫୨ଟି ସିଟ୍‌ରେ ଆଗୁଆ ରହିଛି ଓ ଅନ୍ୟାନ ଦଳ ଖାତା ଖୋଲିନାହିଁ। ସେହିପରି ମଧ୍ୟପ୍ରଦେଶରେ ବିଜେପି ଆଗୁଆ ରହିଥିବା ବେଳେ କଂଗ୍ରେସ ତା ପଛକୁ ରହୁଛି। ସେହିପରି ରାଜସ୍ଥାନରେ ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ମଧ୍ୟରେ ଦେଖିବାକୁ ମିଳିଛି କଡ଼ା ଟକ୍କର। ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ୧୭ଟି ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୧୩ଟିରେ ଆଗୁଆ ରହିଛି। ସେହିପରି ବିଏସପି ଓ ଆରଏଲଡି ଗୋଟିଏ ଆସନରେ ଆଗୁଆ ରହିଛନ୍ତି।

ସବୁଠୁ ବଡ଼ କଥା ହେଲା ଲୋକସଭା ନିର୍ବାଚନକୁ ଆଉ ମାତ୍ର ୬ ମାସ ବାକି ଅଛି। ତେଣୁ ଏହି ୫ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ସେମିଫାଇନାଲ ମ୍ୟାଚ୍‌ ଭାବେ ବିବେଚନା କରାଯାଉଛି। ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନାରେ କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ ତାହା ଆଜି ସ୍ପଷ୍ଟ ହୋଇଯିବ। ସେହିପରି ଆସନ୍ତାକାଲି ମିଜୋରାମରେ ଭୋଟ ଗଣତି ହେବ।

ଏକଜିଟ୍‌ ପୋଲ୍‌ ରିପୋର୍ଟ ଅନୁଯାୟୀ, ରାଜସ୍ଥାନରେ ବିଜେପି ଓ ଛତିଶଗଡ଼ରେ କଂଗ୍ରେସ ବାଜି ମାରିପାରେ ବୋଲି ଆକଳନ କରାଯାଉଛି। ସେହିପରି ରାଜସ୍ଥାନରେ ଗେହଲଟଙ୍କ ହାତରୁ କ୍ଷମତା ଖସି ଯାଇପାରେ । ୨୩୦ ସିଟ୍‌ ବିଶିଷ୍ଟ ମଧ୍ୟପ୍ରଦେଶରେ ବିଜେପି କ୍ଷମତାକୁ ଆସିବା ନେଇ ପୁର୍ବାନୁମାନ କରାଯାଉଥିବା ବେଳେ ତେଲେଙ୍ଗାନାରେ ସତ୍ତେ ପଲଟିପାରେ ବୋଲି ଚର୍ଚ୍ଚା ହେଉଛି।

ସବୁଠୁ ବଡ଼କଥା ହେଲା ଭୋଟ ଗଣତି ଆରମ୍ଭ ହେବା ପରଠୁ ଉତ୍ସାହିତ ଅଛନ୍ତି ୨ ଜାତୀୟ ଦଳ କଂଗ୍ରେସ ଓ ବିଜେପି। ରାଜଧାନୀ ଦିଲ୍ଲୀରେ ଉଭୟ ଦଳ ପକ୍ଷରୁ ଆରମ୍ଭ ହୋଇସାରିଲାଣି ସେଲିବ୍ରେସନ୍‌। ବିଜୟ ପାଇଁ ଆଶାବାଦୀ ଥିବା କଂଗ୍ରେସ କର୍ମୀମାନେ ଜୋରଦାର ସେଲିବ୍ରେସନ କରିଛନ୍ତି। ସେପଟେ ରାଜସ୍ଥାନ ବିଜେପି କାର୍ଯ୍ୟାଳୟକୁ ରଙ୍ଗବେରଙ୍ଗ ଫୁଲରେ ସଜା ଯାଇଥିବା ବେଳେ ସେଲିବ୍ରେଶନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି।

Leave A Reply

Your email address will not be published.