Odisha Link
Bridging the Missing Links in Odisha

ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତି ବୈଧ: ସୁପ୍ରିମକୋର୍ଟ

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ଧାରା ୩୭୦ ଉଚ୍ଛେଦ ଉପରେ ଐତିହାସିକ ରାୟ ପ୍ରକାଶ କଲେ ସୁପ୍ରିମକୋର୍ଟ। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ଲାଗିଲା ସୁପ୍ରିମ ମୋହର। ଜମ୍ମୁ କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରିବାକୁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତିକୁ ବୈଧ କହିଲେ ସୁପ୍ରିମକୋର୍ଟ। ଧାରା ଉଚ୍ଛେଦ ସମ୍ପୂର୍ଣ୍ଣ ରୂପେ ବୈଧ ଓ ଆଇନ ସମ୍ମତ କହିଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ।

ସରକାରଙ୍କ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏନ୍‌ସି, ପିଡିପି ସମେତ ଏକାଧିକ ଆବେଦନକାରୀ। ଏହି ମାମଲା ଉପରେ ଶୁଣାଣି କରି ଐତିହାସିକ ରାୟ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଅଦାଲତର ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ରାୟ ପ୍ରକାଶ କରିଛନ୍ତି। ଜମ୍ମୁ କଶ୍ମୀରରୁ ଧାରା ୩୭୦ ଓ ୩୫-ଏ ଉଚ୍ଛେଦ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା କରିବା ନିଷ୍ପତ୍ତି ବେଆଇନ ନୁହଁ ବୋଲି ଅଦାଲତ କହିଛନ୍ତି।

ମୁଖ୍ୟ ବିଚାରପତି କହିଲେ ଯେ ଜମ୍ମୁ କଶ୍ମୀରରେ ୩୭୦ ଧାର ଲାଗୁ କରିବା ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା। କିନ୍ତୁ ଭାରତରେ ମିଶ୍ରଣ ପରେ ଆଉ ଏହି ସ୍ୱତନ୍ତ୍ର ମାନ୍ୟତା ବଜାୟ ରହିପାରିବ ନାହିଁ। କାରଣ ଭାରତରେ ମିଶ୍ରଣ ହେବା ସହ ଜମ୍ମୁ-କାଶ୍ମରର ସାର୍ବଭୌମତ୍ୱ ଶେଷ ହୋଇଥିଲା। ଯେହେତୁ ଜମ୍ମୁ କଶ୍ମୀର ଭାରତର ଏକ ଅଭିନ୍ନ ଅଙ୍ଗ ତେଣୁ ଏହାର ନିଜସ୍ୱ ପ୍ରଭୁତ୍ୱ ନାହିଁ।

ସବୁଠୁ ବଡ଼କଥା ହେଲା ଜମ୍ମୁ କଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ଖଣ୍ଡପୀଠ କହିଛନ୍ତି ଯେ, ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ରହିବ। କିନ୍ତୁ ତୁରନ୍ତ ଜମ୍ମୁ କଶ୍ମୀରକୁ ରାଜ୍ୟ ମାନ୍ୟତା ମିଳୁ। ଏଥିସହ ଆସନ୍ତା ବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା ଜମ୍ମୁ କଶ୍ମୀରରେ ସାଧାରଣ ନିର୍ବାଚନ କରିବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୧୯ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରିବା ସହ ରାଜ୍ୟକୁ ଦୁଇ ଭାଗରେ ଯଥା, ଜମ୍ମୁ-କାଶ୍ମୀର ଓ ଲଦାଖରେ ବାଣ୍ଟି ଦେଇଥିଲେ। ଏଥିସହିତ ଦୁଇଟିକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରିଥିଲେ। କେନ୍ଦ୍ରର ଏହି ନିଷ୍ପତ୍ତିକୁ ବିରୋଧ କରି ସୁପ୍ରିମ କୋର୍ଟରେ ୨୩ ଟି ଆବେଦନ ପତ୍ର ଦାଖଲ ହୋଇଥିଲା।

Leave A Reply

Your email address will not be published.