Odisha Link
Bridging the Missing Links in Odisha

ଦୂର ହେଲା ଯାତ୍ରୀଙ୍କ ଯନ୍ତ୍ରଣା

ଓଏଲ୍‌ ବ୍ୟୁରୋ: ସ୍ଥଗିତ ରହିଲା ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ। ସ୍ବାଭାବିକ ହେଲା ଯାନବାହାନ ଚଳାଚଳ। ଏଥିସହିତ ଦୂର ହେଲା ଯାତ୍ରୀଙ୍କ ଯନ୍ତ୍ରଣା। କେନ୍ଦ୍ର ସରକାରଙ୍କ ‘ହିଟ୍‌ ଏଣ୍ଡ ରନ୍’ ଆଇନ ଓ ରାଜ୍ୟ ସରକାରଙ୍କ ପ୍ରତାରଣା ବିରୋଧରେ ୩ଦିନ ଧରି ଚାଲିଥିବା ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନକୁ ସ୍ଥଗିତ ରଖିବା ଲାଗି ସଂଘ ଘୋଷଣା କରିବା ପରେ ସ୍ବାଭାବିକ ହୋଇଛି ଗାଡ଼ି ଚଳାଚଳ।

ରାଜ୍ୟ ସରକାରଙ୍କ ସହ ଡ୍ରାଇଭର ମହାସଂଘର ଆଲୋଚନା ପରେ ଗତକାଲି ସନ୍ଧ୍ୟରା ଆନ୍ଦୋଳନ ସ୍ଥଗିତ ନିଷ୍ପତ୍ତି ହୋଇଥିଲା। ମାତ୍ର କେନ୍ଦ୍ର ସରକାର ଆଣିଥିବା ଆଇନ ବିରୋଧରେ ଆଗାମୀ ଦିନରେ ସବୁ ରାଜ୍ୟରେ ଆନ୍ଦୋଳନ ହେଲେ ଓଡ଼ିଶା ମଧ୍ୟ ଏଥିରେ ସାମିଲ ହେବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଡ୍ରାଇଭରଙ୍କ ଆନ୍ଦୋଳନ ପରିପ୍ରେକ୍ଷୀରେ ରାଜ୍ୟ ପରିବହନ କମିସନର ଅମିତାଭ ଠାକୁରଙ୍କ ସହ ଡ୍ରାଇଭର ଏକତା ମହାମଞ୍ଚର କର୍ମକର୍ତ୍ତାଙ୍କର ଆଲୋଚନା ହୋଇଥିଲା। ଆଲୋଚନା ପରେ ଶ୍ରୀ ଠାକୁର ଗଣମାଧ୍ୟମକୁ କହିଥିଲେ ଯେ ଡ୍ରାଇଭରମାନଙ୍କ ଦାବି ରାଜ୍ୟ ସରକାର ପୂରଣ କରିଛନ୍ତି। ଡ୍ରାଇଭର କଲ୍ୟାଣ ବୋର୍ଡ ଗଠନ କରାଯାଇଛି।

ଡ୍ରାଇଭର ଆନ୍ଦୋଳନ ଯୋଗୁଁ ଦୁଇ ଦିନ ତମାମ ସାମଗ୍ରୀ ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିଲା। ପୂର୍ବରୁ ଟ୍ରକ୍ ଚାଳକ ଏଥିରେ ସାମିଲ ହୋଇଥିବା ବେଳେ ଗତକାଲି ବସ ଚାଳକ ଆନ୍ଦୋଳନକୁ ଓହ୍ଲାଇଥିଲେ। ଫଳରେ କଟକ, ଭୁବନେଶ୍ବର, ପୁରୀ ଭଳି ରୁଟ୍‌ରେ ବସ ଚଳାଚଳ ବନ୍ଦ ରହିଥିଲା। ବସ୍ ଷ୍ଟାଣ୍ଡ ଖାଁ ଖାଁ ଦେଖିବାକୁ ମିଳିଥିଲା। ସରକାରୀ ବସରେ ଯାତ୍ରୀଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଅନେକ ଯାତ୍ରୀ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ ହେଁ ଗାଡ଼ି ନ ପାଇ ନିରାଶରେ ଘରକୁ ଫେରିଥିଲେ।

ତେବେ ଆନ୍ଦୋଳନ ସ୍ଥଗିତ ରହିବା ପରେ ଆଜି ସ୍ବାଭାବିକ ହୋଇଛି ଗାଡ଼ି ଚଳାଚଳ। କଟକ, ଭୁବନେଶ୍ବର, ପୁରୀ ଭଳି ରୁଟ୍‌ରେ ବସ ଚଳାଚଳ କରିଛି।

Leave A Reply

Your email address will not be published.