Odisha Link
Bridging the Missing Links in Odisha

ଟି-୨୦ କ୍ରିକେଟରେ ରୋହିତଙ୍କ ବିଶ୍ବ ରେକର୍ଡ; ପ୍ରଥମ ବ୍ୟାଟସମ୍ୟାନ୍‌ ଭାବେ କଲେ ବଡ଼ କାରନାମା

ଓଏଲ୍‌ ବ୍ୟୁରୋ: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ବିଶ୍ବ ରେକର୍ଡ କଲେ ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା। ପ୍ରଥମ ଖେଳାଳି ଭାବେ ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚରେ ୫ଟି ଶତକୀୟ ଇନିଂସ ଖେଳିଛନ୍ତି ରୋହିତ। ଆଫଗାନିସ୍ତାନ ବିପକ୍ଷରେ ଟି-୨୦ କ୍ୟାରିୟରର ୫ମ ଶତକ ମାରିଛନ୍ତି।

ରୋହିତ ଶର୍ମା ଓ ରିଙ୍କୁ ସିଂଙ୍କ ଦମଦାର ବ୍ୟାଟିଂ ବଳରେ ଆଫଗାନିସ୍ତାନ ବିପକ୍ଷ ଶେଷ ଟି-୨୦ରେ ବିଶାଳ ସ୍କୋର କରିବାରେ ସଫଳ ହୋଇଛି ଭାରତ। ଟିମ୍‌ ଇଣ୍ଡିଆ ନିର୍ଦ୍ଧାରିତ ଓଭରରେ ୪ ଓ୍ବିକେଟ ହରାଇ ମୋଟ ୨୧୨ ରନ୍‌ କରିଥିଲା। ଯାହାଫଳରେ ଆଫଗାନିସ୍ତାନ ଆଗରେ ୨୧୩ରନର ବିଶାଳ ଲକ୍ଷ୍ୟ ରଖିଛି ଭାରତ।

ଟି-୨୦ କ୍ରିକେଟ ଇତିହାସରେ ସର୍ବାଧିକ ଶତକ ମାରିବା ତାଲିକାରେ ରୋହିତ ଶର୍ମା ଆଗରେ ରହିଛନ୍ତି। ସେ ୫ଟି ଶତକୀୟ ଇନିଂସ୍‌ ଖେଳିଛନ୍ତି। ତାଙ୍କ ପଛକୁ ଅଷ୍ଟ୍ରେଲିଆର ଷ୍ଟାର ଖେଳାଳି ଗ୍ଲେନ୍‌ ମାକ୍ସଓ୍ବେଲ ରହିଛନ୍ତି। ଯିଏକି ୪ଟି ଶତକୀୟ ଇନିଂସ୍‌ ଖେଳିଛନ୍ତି। ସେହିପରି ଟିମ୍‌ ଇଣ୍ଡିଆର ଟି-୨୦ ସ୍ପେଶିଆଲିଷ୍ଟ ସୂର୍ଯ୍ୟକୁମାର ଯାଦବଙ୍କ ନାମରେ ମଧ୍ୟ ୪ଟି ଶତକ ରହିଛି। ସବୁଠୁ ବଡ଼କଥା ହେଲା ସୂର୍ଯ୍ୟକୁମାର ରୋହିତ ଓ ମାକ୍ସଓ୍ବେଲଙ୍କଠୁ କମ୍‌ ମ୍ୟାଚ୍‌ ଖେଳି ୪ଟି ଶତକୀୟ ଇନିଂସ୍‌ ଖେଳିଛନ୍ତି।

ଶେଷ ଟି-୨୦ରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ। ଯାହାଫଳରେ ପ୍ରଥମେ ବୋଲିଂ କରିବାକୁ ଓହ୍ଲାଇଥିଲା ଆଫଗାନିସ୍ତାନ। ଇନିଂସ୍‌ ଆରମ୍ଭରୁ ଭାରତକୁ ପ୍ରାରମ୍ଭକି ଝଟକା ଦେବାରେ ସଫଳ ହୋଇଥିଲେ ଆଫଗାନିସ୍ତାନ ବୋଲର। ମାତ୍ର ୨୪ ରନରେ ୪ ଭାରତୀୟ ବ୍ୟାଟସମ୍ୟାନ୍‌ଙ୍କୁ ପ୍ୟାଭିଲିଅନ୍‌ ପଠାଇବାରେ ସଫଳ ହୋଇଥିଲେ ଆଫଗାନି ବୋଲର। ତାପରେ ରୋହିତ ଶର୍ମା ଓ ରିଙ୍କୁ ସିଂ ଭାରତୀୟ ପାଳିକୁ ଆଗକୁ ନେଇଥିଲେ। ଆଉ ଇନିଂସର ଶେଷ ଆଡ଼କୁ ଧୁଆଁଦାର ବ୍ୟାଟିଂ କରି ଭାରତର ସ୍କୋର ୨୦୦ ପାର କରିଥିଲେ। ରୋହିତ ଶର୍ମା ୬୯ଟି ବଲ୍‌ ଖେଳି ଅପରାଜିତ ୧୨୧ ରନ୍‌ ସ୍କୋର କରିଥିଲେ। ସେହିପରି ରିଙ୍କୁ ସିଂ ୩୯ଟି ବଲ୍‌ ଖେଳି ୬୯ ରନର ଦମଦାର ଇନିଂସ୍‌ ଖେଳିଥିଲେ।

ଭାରତ ପକ୍ଷରୁ ଜଶ୍ବସୀ ଜଶଓ୍ବାଲ ୪, ବିରାଟ ୦, ଶିବମ ଦୁବେ ୧ ଓ ସଞ୍ଜୁ ସାମସନ ୦ ରନ୍‌ କରି ଆଉଟ୍‌ ହୋଇଥିଲେ। ଆଫଗାନିସ୍ତାନ ପକ୍ଷରୁ ବାମହାତୀ ବୋଲର ଫରିଦ ଅହମ୍ମଦ ମଲ୍ଲିକ ୪ ଓଭରରେ ୨୦ ରନ୍‌ ଦେଇ ୩ଟି ଓ୍ବିକେଟ ନେଇଥିଲେ। ସେହିପରି ଓମରଜାଇ ଗୋଟିଏ ଓ୍ବିକେଟ ସଫଳତା ପାଇଛନ୍ତି।

Leave A Reply

Your email address will not be published.