Odisha Link
Bridging the Missing Links in Odisha

ଆଉ ୩ଟି ଜିଲ୍ଲାରେ ଗଡ଼ିଲା ଲକ୍ଷ୍ମୀ ବସ୍‌; ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଆହୁରି ସୁଗମ ହେବ ପରିବହନ ବ୍ୟବସ୍ଥା। ଆଜିଠୁ ଆଉ ତିନି ଜିଲ୍ଲାରେ ଗଡ଼ିଲା ଲକ୍ଷ୍ମୀ ବସ୍। ଢେଙ୍କାନାଳ, ଅନୁଗୁଳ ଓ ଦେବଗଡ଼ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଗଡ଼ିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ଷ୍ମୀ ବସ ସେବାର ଶୁଭାରମ୍ଭ କରିଛନ୍ତି। ଫେବ୍ରୁଆରୀ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ ବସ୍‌ ଚାଲିବ। ୩ ଜିଲ୍ଲାରେ ୧୦୧ ବସ୍‌ ଗଡ଼ିବ। ୨୭ଲକ୍ଷ ଲୋକ ଉପକୃତ ହେବେ। ଏହି ଅବସରରେ ଲକ୍ଷ୍ମୀ ବସ୍‌ ଆମ ଜୀବନକୁ ସହଜ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଲକ୍ଷ୍ମୀ ବସ୍‌ ଯୋଜନା ଗାଁର ଅର୍ଥନୀତିକୁ ମଜବୁତ କରିବ। ଲକ୍ଷ୍ମୀ ବସ୍‌ ଆପଣଙ୍କ ସମ୍ପତ୍ତି, ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ଆପଣଙ୍କର। ଲୋକଙ୍କ ସୁରକ୍ଷା ଓ ସମ୍ମାନପ୍ରତି ଗୁରୁତ୍ବ ଦିଅନ୍ତୁ। ଦେବଗଡ଼ର ୬୯ଟି ପଞ୍ଚାୟତରେ ୧୭ଟି ବସ୍‌ ଗଡ଼ିବ। ଅନୁଗୋଳର ୧୭୬ଟି ପଞ୍ଚାୟତରେ ୨୯ଟି ବସ୍‌ ଗଡ଼ିବ। ପ୍ରାଥମିକ ପର୍ଯ୍ୟାୟରେ ଗାଁରୁ ବ୍ଲକ୍ ମୁଖ୍ୟାଳୟକୁ ଲକ୍ଷ୍ମୀ ବସ ଗଡିବ।

ସୂଚନା ଅନୁସାରେ, ଲକ୍ଷ୍ମୀ ଯୋଜନାରେ ପୂର୍ବରୁ ୬ଟି ଜିଲ୍ଲାରେ ବସ୍ ଗଡୁଛି। ଲକ୍ଷ୍ମୀ ବସ୍ ସେବା ଗ୍ରାମାଞ୍ଚଳର ଦିନ ମଜୁରିଆ, କର୍ମଜୀବୀ ମହିଳା, ଛାତ୍ରଛାତ୍ରୀ ଏବଂ ଚାଷୀଙ୍କୁ ବେଶ୍ ସହାର୍ଯ୍ୟ ହେଉଛି। ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ସୁନିଶ୍ଚିତ ବସ୍ ସଂଯୋଗ, ସୁଲଭ ଓ ନିର୍ଭରଯୋଗ୍ୟ ସେବା କ୍ଷେତ୍ରରେ ସହାୟକ ହେଉଛି ଲକ୍ଷ୍ମୀ ବସ୍। ଚାଷୀ ନିଜ ଉତ୍ପାଦିତ ସାମଗ୍ରୀ ବ୍ଲକ ସଦର ମହକୁମାରେ ବିକ୍ରି କରୁଛନ୍ତି। ଛାତ୍ରଛାତ୍ରୀମାନେ ସ୍ବଳ୍ପ ମୂଲ୍ୟରେ କଲେଜକୁ ଯାଇପାରୁଛନ୍ତି। ମହିଳା, ଛାତ୍ରଛାତ୍ରୀ ଓ ଦିବ୍ୟାଙ୍ଗମାନେ ମାତ୍ର ୫ ଟଙ୍କା ଦେଇ ଗାଁରୁ ବ୍ଲକକୁ ଯିବାର ବ୍ୟବସ୍ଥା ହୋଇଛି। ଲକ୍ଷ୍ମୀ ଯୋଜନା ଦ୍ୱାରା ଗ୍ରାମାଞ୍ଚଳରେ ସାମାଜିକ ସଂପର୍କ ମଜବୁତ୍ ହେବା ସହିତ ଅର୍ଥନୀତି ମଧ୍ୟ ଆହୁରି ସୁଦୃଢ ହେବ ବୋଲି ଆଶା ପୋଷଣ କରାଯାଉଛି।

Leave A Reply

Your email address will not be published.