Odisha Link
Bridging the Missing Links in Odisha

ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଆଜି ଅନ୍ତିମ ଦିନ; ସାହିତ୍ୟର ଜୟଯାତ୍ରାକୁ ନେଇ ପ୍ରକାଶ ପାଇବ ଏକ ଚିତ୍ରପୋଥି

ଓଏଲ୍‌ ବ୍ୟୁରୋ: ଆଜି ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଅନ୍ତିମ ଦିନ। ତିନିଦିନିଆ ମହାଉତ୍ସବର ଶେଷ ଦିନରେ ଅନେକ ଗୁରୁତ୍ବପୂର୍ଣ୍ଣ ଅଧିବେଶନ ରହିଛି। ଆଦିକବି ଶାରଳା ଦାସ କକ୍ଷରେ ଆଜି ୨୦୩୬ରେ ଓଡ଼ିଶା ନବଦିଗନ୍ତର ସମ୍ଭାବନା ପ୍ରସଙ୍ଗରେ ଆଲୋଚନା ହେବ। ସେହିପରି ଅତିବଡ଼ି ଜଗନ୍ନାଥ ଦାସ କକ୍ଷରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଯୁଗରେ ଓଡ଼ିଆ ଭାଷା, ଆହ୍ବାନ ଏବଂ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରାଯିବ।

ସେହିପରି କବିସମ୍ରାଟ ଉପେନ୍ଦ୍ର ଭଞ୍ଜ କକ୍ଷରେ ସଂସ୍କୃତି ଏବଂ ଐତିହ୍ୟ, ରାଜ୍ୟର ସୁକ୍ଷ୍ମଶକ୍ତି, ବ୍ଯାସକବି ଫକୀରମୋହନ ସେନାପତି କକ୍ଷରେ ଅନୁବାଦ, ଓଡ଼ିଆରୁ ଏବଂ ଓଡ଼ିଆକୁ ଏବଂ ପ୍ରକୃତି କବି ଗଙ୍ଗାଧର ମେହେର ସମ୍ବର୍ଦ୍ଧନା କକ୍ଷରେ ବିଜ୍ଞାନର ଭାଷା ଭାବେ ଓଡ଼ିଆ ପ୍ରସଙ୍ଗରେ ସାରଗର୍ଭ ଆଲୋଚନା କରାଯିବ।

ଏହା ସହ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ଲିପିର ସୁଦୀର୍ଘ ପରମ୍ପରା ଓ ଇତିହାସକୁ ନେଇ ପ୍ରାୟ ୨୫୦ ପୃଷ୍ଠା ସମ୍ବଳିତ ଏକ ଆଧୁନିକ ଚିତ୍ରପୋଥି ପ୍ରକାଶ ପାଉଛି। ପ୍ରଥମ ଥର ପାଇଁ ଗୋଟିଏ ଭାଷାର ଜୟଯାତ୍ରାକୁ ନେଇ ପ୍ରସ୍ତୁତ ଏ ଦ୍ବିଭାଷୀ ପୁସ୍ତକ ଉନ୍ମୋଚନ ହେବ।

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବର୍ଣ୍ଣାଢ଼୍ୟ ମହାକୁମ୍ଭର ଉଦଘାଟନ କରିଥିଲେ। ଏହି ସମ୍ମିଳନୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶିଷ୍ଟ ଭାଷାବିତ୍ ପଦ୍ମଶ୍ରୀ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ଓଡ଼ିଆ ଭାଷା ଉପରେ ତାଙ୍କର ଉଚ୍ଚକୋଟୀର ଗବେଷଣା ଦିଗରେ ଜୀବନ ବ୍ୟାପୀ ସାଧନାର ସ୍ୱୀକୃତି ସ୍ଵରୂପ ତାଙ୍କୁ ବିଶ୍ଵ ଓଡ଼ିଆ ସମ୍ମାନରେ ସମ୍ମାନିତ କରିଥିଲେ। ପୁରସ୍କାର ବାବଦରେ ତାଙ୍କୁ କୋଡ଼ିଏ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.