Odisha Link
Bridging the Missing Links in Odisha

ଆରପାରିରେ ସୁଜ୍ଞାନ କୁମାରୀ ଦେଓ; ଶୋକ ପ୍ରକାଶ କଲେ ବିଶିଷ୍ଟ ବ୍ୟକ୍ତି

ଓଏଲ୍‌ ବ୍ୟୁରୋ: ପରଲୋକର ପୂର୍ବତନ ବିଧାୟିକା ସୁଜ୍ଞାନ କୁମାରୀ ଦେଓ। ଶୁକ୍ରବାର ବିଳମ୍ବିତ ରାତିରେ ସୁଜ୍ଞାନ କୁମାରୀ ଦେଓଙ୍କ ଦେହାନ୍ତ ହୋଇଥିବା ସୂଚନା। ସେ ୧୦ ଥର ବିଧାୟକ ଥିଲେ। ତାଙ୍କ ସ୍ବାସ୍ଥ୍ୟବସ୍ଥା ଖବର ଶୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଚେନ୍ନାଇ ଯାଇ ସ୍ବାସ୍ଥ୍ୟାବସ୍ଥା ବୁଝିଥିଲେ। ରାଣୀଙ୍କ ବିୟୋଗରେ ରାଜ୍ୟ ରାଜନୀତି ମହଲରେ ଶୋକର ଛୋୟା ଖେଳିଯାଇଛି ।ଖଲ୍ଲିକୋଟ ନିର୍ବାଚନମଣ୍ଡଳୀରୁ ୮ଥର ଓ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀରୁ ୨ଥର ବିଧାୟିକା ଭାବେ ନିର୍ଵାଚିତ ହୋଇଥିଲେ ସେ।

ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ସୁଜ୍ଞାନ କୁମାରୀଙ୍କ ପରଲୋକରେ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି। ରାଜ୍ୟପାଳ ରଘୁବର ଦାସ ଶୋକ ପ୍ରକାଶ କରିଛନ୍ତି।।ଏହାସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଓଡ଼ିଶାର ଲୋକକ୍ଷେତ୍ରକୁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ସେ ଚିର ସ୍ମରଣୀୟ ହୋଇ ରହିବେ ବୋଲି ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ରାଜ୍ୟପାଳ। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇ ଏକ୍ସରେ ଲେଖିଛନ୍ତି ଯେ ଶିଷ୍ଟ ରାଜନୀତିଜ୍ଞ ତଥା ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ବିଜୁ ଜନତା ଦଳର ବରିଷ୍ଠ ନେତ୍ରୀ ଭାବେ ଦଳକୁ ସଙ୍ଗଠିତ କରିବାରେ ତାଙ୍କର ବଡ଼ ଯୋଗଦାନ ରହିଛି। ଖଲିକୋଟ ଓ କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ୧୦ଥର ବିଧାୟିକା ଭାବେ ପ୍ରତିନିଧିତ୍ୱ କରି ଜନସେବାରେ ସେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି। ଏହା ଏକ ଅପୂରଣୀୟ କ୍ଷତି। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।

ସେହପିରି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ “ଖଲ୍ଲିକୋଟ ରାଣୀ ତଥା ପୂର୍ବତନ ବରିଷ୍ଠ ବିଧାୟିକା ଭି ସୁଜ୍ଞାନୀ କୁମାରୀ ଦେଓଙ୍କ ବିୟୋଗରେ ମୁଁ ଗଭୀର ମର୍ମାହତ l ତାଙ୍କ ଦୀର୍ଘ ଦିନର ରାଜନୈତିକ ଯାତ୍ରା ଥିଲା ଅବିସ୍ମରଣୀୟ l ୧୦ ଥର ବିଧାୟିକା ଭାବେ ନିର୍ବାଚିତ ହେବା ତାଙ୍କ ଜନପ୍ରିୟତାର ପ୍ରମାଣ ଥିଲା l ଜଣେ ସ୍ପଷ୍ଟବାଦୀ, କ୍ଷମତା ପ୍ରତି ଚିର ଅନାସକ୍ତ ରାଜନେତ୍ରୀ ଭାବେ ସେ ଜନମାନସରେ ସୁପରିଚିତ ଥିଲେ l ୫ ଦଶନ୍ଧି ଧରି ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ବିଧାୟିକାଭାବେ ସେ ଜନସାଧାରଣଙ୍କ ସେବାରେ ଆଜୀବନ ବ୍ରତୀ ଥିଲେ ଓ ଅଞ୍ଚଳର ସାମଗ୍ରିକ ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିଲେ l ତାଙ୍କ ବିୟୋଗରେ ଓଡ଼ିଶାର ରାଜନୀତି କ୍ଷେତ୍ରରେ ଏକ ଦାରୁଣ ଓ ଅପୂରଣୀୟ କ୍ଷତି ହୋଇଛି” l

ସେହିପରି ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀଙ୍କ ପରଲୋକରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକପ୍ରକାଶ କରିଛନ୍ତି। ସେ କହିିଛନ୍ତି ଯେବିଶିଷ୍ଟ ରାଜନୀତିଜ୍ଞ, ପୂର୍ବତନ ବିଧାୟିକା ତଥା ଖଲ୍ଲିକୋଟର ରାଣୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଦୀର୍ଘ ସମୟ ଧରି ବିଧାୟିକା ଭାବେ ଓଡ଼ିଶାର ଜନମାନସରେ ସେ ସୁପରିଚିତ ଥିଲେ।ତାଙ୍କ ବିୟୋଗରେ ଓଡ଼ିଶା ଜଣେ ସ୍ପଷ୍ଟବାଦୀ ରାଜନେତ୍ରୀଙ୍କୁ ହରାଇଲା ।ରାଜ୍ୟ ରାଜନୀତି ଜଗତରେ ଜନପ୍ରତିନିଧି ଭାବେ ତାଙ୍କର ଲୋକସେବା କାର୍ଯ୍ୟ ଗୁଡ଼ିକ ଚିର ସ୍ମରଣୀୟ ହୋଇ ରହିବ।ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି।

Leave A Reply

Your email address will not be published.