ମେଣ୍ଟ ଚର୍ଚ୍ଚା ଭିତରେ ଗୋଟିଏ ମଞ୍ଚରେ ମୋଦି-ନବୀନ

ଓଏଲ୍ ବ୍ୟୁରୋ: ନିର୍ବାଚନ ଯେତେ ପାଖଉଛି ଓଡ଼ିଶା ରାଜନୈତିକ ମାହୋଲ ସେତେ ସରଗରମ ହେବାରେ ଲାଗିଛି। ବିଗତ କିଛି ଦିନ ହେବ ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ହେବା ନେଇ ଜୋରଦାର ଚର୍ଚ୍ଚା ହେଉଥିଲା। ହେଲେ ଏଥିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମେଣ୍ଟ ହେବ ନାହିଁ କହି ପୂର୍ଣ୍ଣଚ୍ଛେଦ ପକାଇଥିଲେ। ତଥାପି ମେଣ୍ଟ ଚର୍ଚ୍ଚା ପ୍ରଶମିତ ହୋଇନଥିଲା। ଏସବୁ ମଧ୍ୟରେ ଆଜି ଗୋଟିଏ ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାଠି ହୋଇଥିଲେ। ଯାହା ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ବିଷୟ ପାଲଟିଛି। ହେଲେ ମୋଦି କିମ୍ବା ନବୀନଙ୍କ ପକ୍ଷରୁ କୌଣସି ମେଣ୍ଟ ବିଷୟରେ କିଛି କହି ନଥିଲେ। ବରଂ ବିକଶିତ ଭାରତ ଓ ବିକଶିକ ଓଡ଼ିଶା ପ୍ରସଙ୍ଗରେ ଉଭୟେ ଉଭୟଙ୍କୁ ଧନ୍ୟବାଦ ଦେଇଥିଲେ।
ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ଓଡ଼ିଶାକୁ ବଡ଼ ଭେଟି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିନିକିଆ ଓଡ଼ିଶା ଗସ୍ତରେ ଆସି ରାଜ୍ୟକୁ ପ୍ରାୟ ୨୦ ହଜାର କୋଟି ଟଙ୍କାର ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରେଳ, ଜାତୀୟ ରାଜପଥ ଆଦି ୧୬ଟି ପ୍ରକଳ୍ପର ଶିଳାନ୍ୟାସ୍ ଓ ଲୋକାର୍ପଣ କରିଛନ୍ତି ମୋଦି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗ ଦେଇଥିଲେ।
ଚଣ୍ଡିଖୋଲରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଓଡ଼ିଶାରେ ଆଜି ବିକାଶର ନୂଆ ଧାରା ଆରମ୍ଭ ହୋଇଛି। ଓଡ଼ିଶା ଓ ଦେଶର ବିକାଶ ପାଇଁ ବିଜୁ ବାବୁଙ୍କ ଯୋଗଦାନ ସ୍ମରଣୀୟ ହୋଇ ରହିଛି। ସମଗ୍ର ଦେଶବାସୀଙ୍କ ପକ୍ଷରୁ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ଆଜିର ପ୍ରକଳ୍ପ ଯୋଗୁ ଓଡ଼ିଶାରେ ନୂଆ ରୋଜଗାର ମିଳିବ। ଦେଶରେ ଏବେ ଏମିତି ସରକାର ଯିଏ ବର୍ତ୍ତମାନ ଓ ଭବିଷ୍ୟତ ଚିନ୍ତା କରୁଛି। ସରକାର ପୂର୍ବ ଭାରତର ସାମର୍ଥ୍ୟ ବଢ଼ାଇ ଚାଲିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ମୋଦି ଆହୁରି କହିଛନ୍ତି, ପୂର୍ବ ଯୋଜନାରେ ପ୍ରକଳ୍ପ ଠିକ୍ ସମୟରେ ସରୁନଥିଲା। ଆମ ସରକାର ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟରେ ସାରିବାକୁ ଗୁରୁତ୍ୱ ଦିଏ। ଆମ ସରକାର ପାରାଦୀପ ରିଫାଇନାରୀ କାମ ସାରିଥିଲା। ଓଡ଼ିଶାର ବିକାଶ ପାଇଁ ଆମେ ଗୁରୁତ୍ୱ ଦେଇଆସୁଛୁ। ଓଡ଼ିଶା ରେଳ ବଜେଟ ପ୍ରାୟ ୧୨ ଗୁଣା ବଢ଼ାଇଛୁ। ଗଂଜାମରେ ଲୁଣି ଜଳ ପ୍ରକ୍ରିୟାକରଣ ପ୍ଲାଣ୍ଟ ଶିଳାନ୍ୟାସ ହୋଇଛି। ଲୁଣି ଜଳକୁ ପାନୀୟ ଉପଯୋଗୀ ଜଳରେ ପରିଣତ କରାଯିବ।
ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଣ୍ଡିଖୋଲ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି, ଆଜି ବିକାଶ ସାଜିଛି ନୂଆ ଓଡ଼ିଶାର ପରିଚୟ। ଏଥିସହିତ ଚଣ୍ଡିଖୋଲ ସଭାରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ଭାରତୀୟ ଅର୍ଥନୀତିକୁ ପ୍ରଧାନମନ୍ତ୍ରୀ ନୂଆ ଗତି ଦେଇଛନ୍ତି । ଯାହା ପାଇଁ ଭାରତ ଏବେ ବିଶ୍ବର ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇପାରିଛି । ଖୁବ୍ ଶୀଘ୍ର ଏହା ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି ।ଏଥି ସହିତ ପ୍ରଧାନମନ୍ତ୍ରୀ ଓଡିଶାର ବିକାଶକୁ ଗୁରୁତ୍ୱ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।
ନବୀନ ପଟ୍ଟନାୟକ ତାଙ୍କ ଅଭିଭାଷଣରେ ଉତ୍ତୁଙ୍ଗ ପୁରୁଷ ବିଜୁ ପଟ୍ଟନାୟକଙ୍କ ବିଷୟରେ ମଧ୍ୟ କହିଛନ୍ତି। ଏହି ଅବସରରେ ତାଙ୍କୁ ଆଜି ତାଙ୍କ ଜନ୍ମ ଦିନରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । କହିଛନ୍ତି ବିଜୁ ପଟ୍ଟନାୟକଙ୍କ ଦେଶ, ଏପରିକି ବିଦେଶର ସ୍ବାଧିନତା ସଂଗ୍ରାମରେ ମଧ୍ୟ ନିଜର ଗୁରୁତ୍ବପୁର୍ଣ୍ଣ ଅବଦାନ ରଖିଛନ୍ତି। ଓଡ଼ିଶାର ଉନ୍ନତି ଏବଂ ଓଡ଼ିଆ ଜାତିର ଉନ୍ନତି ପାଇଁ ସେ ସାରା ଜୀବନ କାମ କରି ଯାଇଛନ୍ତି। ୧୯୯୦ରେ ସେ କଳିଙ୍ଗ ନଗରକୁ ଇଣ୍ଡଷ୍ଟ୍ରିଆଲ୍ ହବ୍ କରିବା ପାଇଁ ବିଜୁ ବାବୁ ଚିନ୍ତା କରିଥିଲେ । ଆଜି କଳିଙ୍ଗ ନଗର ଦେଶର ଷ୍ଟିଲ ହବ୍ ହୋଇପାରିଛି। କେବଳ ଓଡ଼ିଶା ନୁହେଁ, ସାରା ଦେଶ ଏଥିରୁ ଲାଭ ପାଉଛି। ଏହା ସହ କହିଛନ୍ତି ଆଜି ଓଡିଶା ପୂର୍ବ ଭାରତର ଏକ ପ୍ରମୂଖ ଉତ୍ପାଦନ କେନ୍ଦ୍ର ହେବାକୁ ଯାଉଛି ।