ବରପଦା ଇଞ୍ଜିନିୟରିଂ କଲେଜ ଜମି ମାମଲା: ଇଡିରେ ହାଜର ହେଲେ ପ୍ରଫୁଲ୍ଲ ସାମଲଙ୍କ ପୁଅ

ଓଏଲ୍ ବ୍ୟୁରୋ: ୨୦୨୪ ନିର୍ବାଚନ ପାଖେଇ ଆସୁଥିବା ବେଳେ ତା ଠିକ୍ ପୁର୍ବରୁ ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଇଡି ପ୍ରଫୁଲ ସାମଲଙ୍କ ଘରେ ରେଡ୍ କରିଥିବା ବେଳେ ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅକୁ ଇଡି ସମନ କରିଛି। ବରପଦା ଇଂଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ଇଡି ସମନ କରିଥିବା ଜଣାଯାଇଛି। ଡକ୍ୟୁମେଣ୍ଟ ସହ ହାଜର ହେବାକୁ ଉଭୟଙ୍କୁ ସମନ କରିଛି ଇଡି। ସମନ ପରେ ବରପଦା ଇଂଜିନିୟରିଂ କଲେଜ ଜମି ମାମଲାରେ ବିଧାୟକ ପ୍ରଫୁଲ୍ଲ ସାମଲ ଇଡିରେ ହାଜର ହୋଇଥିବାବେଳେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ଆଜି ହାଜର ହେଲେ।
ସୂଚନା ଅନୁସାରେ, ଗତ ୧୫ତାରିଖରେ ପ୍ରଫୁଲ୍ଲଙ୍କ ଘରେ ଚଢଉ କରିଥିଲା ଇଡି। ଶୁକ୍ରବାର ପ୍ରୟାସକାନ୍ତଙ୍କୁ ଘରୁ ୧୦ଲକ୍ଷ ଟଙ୍କା ଜବତ କରିଥିଲା ଇଡି। ଭଦ୍ରକ ନୂଆବଜାର ସ୍ଥିତ ବାସଭବନରେ ଇଡିର ୬ ଜଣିଆ ଟିମ୍ ଚଢ଼ାଉ କରିଥିଲା। ସେହିପରି ବିଜେଡି ବିଧାୟକଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଇଡି ଚଢ଼ାଉ କରିଥିଲା। ଭଦ୍ରକ ସହରର ୬ଟି ସ୍ଥାନରେ ଓ ଭୁବନେଶ୍ୱରର ୪ଟି ସ୍ଥାନରେ ଇଡି ରେଡ୍ କରିଥିଲା। ସେଥି ମଧ୍ୟରେ ଭୁବନେଶ୍ୱରର ପଳାସପଲ୍ଲୀରେ ଥିବା ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କ ଘରେ ବି ରେଡ ହୋଇଥିଲା।